ବଲାଙ୍ଗୀର: ଟିଟିଲାଗଡ଼ ଥାନା ସିରୋଲ ଗାଁ ନିକଟ ରେଳ ଧାରଣାରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର । ମୃତ ମହିଳା ହେଲେ କମଳା ରଣା । ଗତ ରାତିରେ କୌଣସି କାରଣକୁ ନେଇ କମଳା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ବଚସା ହୋଇଥିଲା । ଆଜି ସକାଳୁ ତାଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର କରାଯାଇଛି ।
କମଳା ୮ ବର୍ଷ ପୂର୍ବେ ତେନ୍ତୁଲିଖୁଟି ଗାଁର କୁମାରମଣି ରଣାଙ୍କୁ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ପିଲା ଅଛନ୍ତି । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଗତ ରାତିରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କମଳା ଗତରାତିରେ ଘରୁ କେଉଁଆଡ଼େ ପଳାଇଥିଲେ । ପରିବାର ଲୋକେ ରାତି ସାରା ଖୋଜାଖୋଜି କରିଥିଲେ ବି ତାଙ୍କ ପତ୍ତା ପାଇ ନଥିଲେ ।
ଆଜି ସକାଳୁ ସିରୋଲ ଗାଁ ରେଳ ଧାରଣାରେ ଏକ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଜିଆରପିକୁ ଖବର ଦେଇଥିଲେ । ଜିଆରପି କର୍ମଚାରୀ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହାର ତଦନ୍ତ ଆରମ୍ଭ କରିଛି । ଖବର ପାଇ କମଳା ରଣାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଜିଆରପି ଅଧିକାରୀ ।