ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ ର ରବିବାର ଫାଇନାଲ ଖେଳୁଛନ୍ତି ଛତ୍ତିଶଗଡ଼ ଓ କଲିକତା ଦଳ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ରେ ହେଉଥିବା ୨୮ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ ର ଅନ୍ତିମ ସେମି ଫାଇନାଲ ରେ ଏନ ଏନ ଏସ ପ୍ରୟାଗରାଜ(ୟୁପି) କୁ ହରାଇ ବିରାଟ କ୍ରିକେଟ କ୍ଲବ କଲିକତା ( ୱେଷ୍ଟ ବେଙ୍ଗଲ) ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚ୍ ଟି ଟି-୨୦ ଓ ଟି-୧୦ ଓ ସୁପର -୨ ଫର୍ମାଟ ରେ ଖେଳାଯାଇଥିଲା । ବିରାଟ କ୍ରିକେଟ କ୍ଲବ କଲିକତା ଟସ୍ ଜିଣି ପ୍ରୟାଗରାଜ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଟି-୨୦ ଫର୍ମାଟ ରେ ପ୍ରୟାଗରାଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୯ ଉଇକେଟ ହରାଇ ୧୨୦ ରନ କରିଥିଲା। ଦଳର ସଲମାନ ଅଲ୍ଲୀ ୩୮ ରନ ଓ କପିଲ ଯାଦବ ୨୮ ରନ କରିଥିଲେ। ବିପକ୍ଷ କଲିକତା ର ସୁଶାନ୍ତ ସିଂହା ୪ ଟି ଓ ପ୍ରଶାନ୍ତ ରଞ୍ଜନ ୨ ଟି ଉଇକେଟ ନେଇଥିଲେ। ଜବାବରେ କଲିକତା ଦଳ ପ୍ରଶାନ୍ତ ରଞ୍ଜନ ଙ୍କ ୪୧ ଓ ସୁଶାନ୍ତ ସିଂହା ଙ୍କ ୨୦ ରନ ସହାୟତା ରେ ୧୯.୪ ଓଭର ରେ ୯ ଉଇକେଟ ହରାଇ ଆବଶ୍ୟକୀୟ ୧୨୧ ରନ ସଂଗ୍ରହ କରିଥିଲା। ବିପକ୍ଷ ପ୍ରୟାଗରାଜ ଦଳ ର କ୍ରିଷ୍ଣା ସରୋଜ ୪ ଟି ଓ ଆତିକ ଅହମ୍ମଦ ୨ ଟି ଲେଖାଏଁ ଉଇକେଟ ନେଇଥିଲେ।ସେହିପରି ଟି -୧୦ ଫର୍ମାଟ ରେ ପ୍ରୟାଗରାଜ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୩ ଉଇକେଟ ହରାଇ ୧୩୦ ରନ କରିଥିଲା। ଦଳର ସଲମାନ ଅଲ୍ଲୀ ୨୭ ବଲ ରୁ ୫୧ ରନ , ଏମ ଡି ଉମର ୨୦ ବଲରୁ ୪୩ ରନ ଓ ନିଶାନ୍ତ ସିଂ ୨୨ ରନ କରିଥିଲେ। ବିପକ୍ଷ ମାହି ଗୋଟିଏ ଉଇକେଟ ନେଇଥିଲେ। ଜବାବରେ କଲିକତା ଦଳ ପ୍ରଶାନ୍ତ ରଞ୍ଜନ ଙ୍କ ୧୩ ରନ ସହାୟତା ରେ ୭.୧ଓଭର ରେ ୩୮ ରନ କରିଥିଲା। ବିପକ୍ଷ ଆଦର୍ଶ କୁମାର ୩ ଟି ଏବଂ ଆତିକ ଅହମ୍ମଦ ଓ ଏମ ଡି ଉମର ପ୍ରତ୍ୟେକ ୨ ଟି ଲେଖାଏଁ ଉଇକେଟ ନେଇଥିଲେ। ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ସୁପର -୨ ଓଭର ହୋଇଥିଲା। ଏଥିରେ ପ୍ରୟାଗରାଜ ୨୦ ରନ କରିଥିବା ବେଳେ କଲିକତା ୨୧ ରନ କରି ବିଜୟୀ ହୋଇଥିଲା। ମ୍ୟାଚ୍ ପ୍ରାରମ୍ଭ ରେ ଅଚଣ୍ଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦଣ୍ଡଧର ପାତ୍ର ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଅପରାହ୍ନ ରେ ପୀତାମ୍ବର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଜିଲ୍ଲା କ୍ରିକେଟ ସଂଘ ର ସଭାପତି ରାମ ଶଙ୍କର ସାହୁ, ମୁର୍ଷୁଣ୍ଢି ସମିତିସଭ୍ୟା ରୀତା ଗର୍ଡିଆ , ଶିକ୍ଷକ ରଣଜିତ ମିଶ୍ର , ଜିଲ୍ଲା କ୍ରିକେଟ ସଙ୍ଘ ର ଉପସଭାପତି ବି. ସତ୍ୟନାରାୟଣ ରାଓ , କଦୋଦର ସରପଞ୍ଚ ପ୍ରତିନିଧି ରଞ୍ଜନ ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କଲିକତା ର ପ୍ରଶାନ୍ତ ରଞ୍ଜନ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ମ୍ୟାଚ୍ କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଶ୍ୟାମ ସୁନ୍ଦର ପଣ୍ଡା ଓ ରଜନିକାନ୍ତ ରେଡ୍ଡୀ ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ମହାକୁର ସ୍କୋରିଙ୍ଗ, ଚମାରୁ ମହାକୁର ଅନଲାଇନ ସ୍କୋରିଙ୍ଗ ଏବଂ ଆଶିଷ ଦେଓ, ମ୍ୟକ୍ ମିଳନ ମହାକୁର , ପ୍ରାଣବନ୍ଧୁ ସାହୁ ଓ ପୀତାମ୍ବର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ରବିବାର ଏହାର ଫାଇନାଲ ଖେଳ କ୍ୟୁସିଆଇ ଛତିଶଗଡ଼ ଓ ବିରାଟ କ୍ରିକେଟ କ୍ଲବ କଲିକତା ମଧ୍ୟରେ ହେଉଛି ।