ନୂଆଦିଲ୍ଲୀ: ବର୍ଷ ଶେଷ ବେଳକୁ ଇତିହାସ ରଚିଛି ଇସ୍ରୋ । ଗତକାଲି ହୋଇଥିବା ସ୍ପେଡେକ୍ସ ମିଶନ ଉତକ୍ଷେପଣ ସଫଳ ହୋଇଛି । ଆଉ ଆଜି ଏହାକୁ ନେଇ ବଡ଼ ଅପଡେଟ୍ ଆସିଛି । ତଥ୍ୟ ଅନୁସାରେ ଜାନୁଆରୀ ୭ରେ ହୋଇପାରେ ଇନ-ସ୍ପେଶ୍ ଡକିଂ । ଆଉ ସପ୍ତାହେ ପରେ ମହାକାଶରେ ୨ଟି ସ୍ପେଶକ୍ରାଫ୍ଟକୁ ଯୋଡ଼ି ପାରେ ଇସ୍ରୋ । ସୋମବାର ରାତି ୧୦ଟାରେ ସ୍ପେଡେକ୍ସ ମିଶନର ସଫଳ ଉତକ୍ଷେପଣ ପରେ, ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଇସ୍ରୋ ପାଇଁ ରିଅଲ ଚ୍ୟାଲେଞ୍ଜ୍ । ମହାକାଶକୁ ଯାଇଥିବା ୨ଟି ସ୍ପେଶକ୍ରାଫ୍ଟକୁ ଡକିଂ ପାଇଁ ପ୍ରସ୍ତୁତ କରିବ ଇସ୍ରୋ ।
ଗତରାତି ୧୦ଟା ୧୫ ସେକେଣ୍ଡରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ PSLV-C60 ରକେଟ୍ ସହାୟତାରେ ମହାକାଶକୁ ଯାଇଥିଲା ସ୍ପେଡେକ୍ସ-A ଓ ସ୍ପେଡେକ୍ସ-B । ଏହି ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟ ଲଞ୍ଚିଂର ପ୍ରାୟ ୧୫ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲା । ରକେଟରୁ ଟାର୍ଗେଟ୍ ଅଲଗା ହେବାର ୩ ସେକେଣ୍ଡ୍ ପରେ ଚେଜର୍ ଅଲଗା ହୋଇ ଗୋଟିଏ ଦିଗରେ ଯାତ୍ରା ଆରମ୍ଭ କରିଥିଲା । ଏବେ ଭୂପୃଷ୍ଠରୁ ପ୍ରାୟ ୪୭୦ କିଲୋମିଟର ଦୂରରେ ସେଗୁଡ଼ିକ ପୃଥିବୀ ଚାରିପଟେ ବୁଲୁଛନ୍ତି । ଉଭୟ ସ୍ପେଶକ୍ରାଫ୍ଟ ମଧ୍ୟରେ ଦୂରତା ଧୀରେ ଧୀରେ ବୃଦ୍ଧି ପାଇ ଆଜି ସନ୍ଧ୍ୟା ସୁଦ୍ଧା ୨୦ କିମିରେ ପହଞ୍ଚିବ । ଏହାପରେ ଆଗାମୀ ୪ ଦିନ ଯାଏଁ ଡକିଂ ପାଇଁ ସୌରଶକ୍ତି ସଂଗ୍ରହ କରିବେ ଏବଂ ଧୀରେ ଧୀରେ ନିକଟତର ହେବ ଦୁଇ ସ୍ପେଶକ୍ରାଫ୍ଟ । ଚେଜରକୁ କ୍ରମାଗତ ଭାବେ ଟାର୍ଗେଟ୍ ପାଖକୁ ଅଣାଯିବ । ଟାର୍ଗେଟଠାରୁ ମାତ୍ର ୩ ମିଟର ଦୂରରେ ଥିବା ବେଳେ, ଚେଜର ସେକେଣ୍ଡ ପ୍ରତି ୧୦ ମିଲିମିଟର ବେଗରେ ତା ପାଖକୁ ଯାଇ ଯୋଡ଼ି ହେବା ଆରମ୍ଭ କରିବ । ଏହାପରେ ଉଭୟ ସ୍ପେଶକ୍ରାଫ୍ଟ ମଧ୍ୟରେ ବିଦ୍ୟୁତ ସଂଯୋଗ ହେବ ଓ ପରେ ଅନ୍-ଡକିଂ କରାଯିବ । ପୂରା ପ୍ରକ୍ରିୟା ୬୬ ଦିନ ଭିତରେ ସାରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଏଥିସହ ଗତକାଲି ଭୂପୃଷ୍ଠରୁ ୩୫୦ କିଲୋମିଟର ଉଚ୍ଚତାରେ ପଏମ୍-4 ମଡ୍ୟୁଲର ୨୪ଟି ପେ ଲୋଡ୍ ବି ଅବସ୍ଥାପିତ କରିଛି ଇସ୍ରୋ । ଏହି ଯନ୍ତ୍ରଗୁଡ଼ିକ ସହାୟତାରେ ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା କରାଯିବ, ପାକସ୍ଥଳୀ ଓ ଅନ୍ତନଳୀର ଜୀବାଣୁ ବଂଶବୃଦ୍ଧି ଅନୁଧ୍ୟାନ କରାଯିବ, ଶାଗ ପତ୍ରରେ ଉଦ୍ଭିଦ କୋଷର ବିକାଶ ଅନୁଧ୍ୟାନ କରାଯିବ ।