ପୁରୀ ସହରରେ ବେଆଇନ ନିର୍ମାଣକାରୀଙ୍କ ବିରୋଧରେ ହେବ ଆକ୍ସନ


ପୁରୀ: ପୁରୀ ସହରରେ ବେଆଇନ୍ ନିର୍ମାଣକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ବେଆଇନ୍ ଗୃହ ନିର୍ମାଣ ରୋକିବାକୁ ଗଠନ ହେଲା ସ୍ୱତନ୍ତ୍ର ସ୍କ୍ବାଡ । ୨୪ ଜଣ ସେନା ନିବୃତ୍ତ କର୍ମଚାରୀଙ୍କୁ ନେଇ ସମୁଦାୟ ୮ଟି ଟିମ୍ ଗଠନ ହୋଇଥିବା ବେଳେ ଆଗକୁ ଶୁଣାଣି କରାଯାଇ ଉଚ୍ଛେଦ ଅଭିଯାନ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ସହରର ୮୦ ପ୍ରତିଶତ ଜମି ମହାପ୍ରଭୁଙ୍କ ଓ ପୌରପାଳିକା ନାମରେ ଥିବାରୁ ବେଆଇନ୍ ନିର୍ମାଣ ପ୍ରସଙ୍ଗରେ ବର୍ଗୀକରଣ କରିବାକୁ ଆଇନଜୀବୀମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେପଟେ ଏଭଳି ନିଷ୍ପତ୍ତିକୁ ପୁରୀ ହୋଟେଲ୍ ଆସୋସିଏସନ ତରଫରୁ ସ୍ୱାଗତ କରାଯାଇଛି ।

ପ୍ରଶାସନର ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଥିବାବେଳେ ଯେଉଁମାନେ ଏନଓସି ଆଣିନାହାନ୍ତି ସେମାନଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ହୋଟେଲ ଆସୋସିଏସ ସଭାପତି । ବେଳାଭୂମି ନିକଟରେ ଆଇନ ନମାନି ଚାଲିଛି ବେଆଇନ ନିର୍ମାଣ । ନା ଅଛି PKDA ଅନୁମତି ନା ଅଛି CRZ ଅନୁମତି । ପୂର୍ବ ସରକାର ସମୟରେ CRZ ଉଲ୍ଲଂଘନ କରିଥିବା ୨୪୦ ଛୋଟ ବଡ଼ କୋଟାକୁ ଚି଼ହ୍ନଟ କରାଯାଇଥିଲା l କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ଅଥୋରିଟି ଗଠନ କରାଯାଇ ଏସବୁକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବର୍ତ୍ତମାନ ନୂଆ ସରକାର ଆସିବା ପରେ ପୁନଃ ବେଆଇନ ନିର୍ମାଣ ଆରମ୍ଭ ହୋଇଯାଇଛି ।

ସେପଟେ ପୁରୀ ସହରର ୮୦ ପ୍ରତିଶତ ଜମିର କାଗଜପତ୍ର ବା NOC ନଥିବାବେଳେ ଅନେକ ଜମି ପୌରସଂସ୍ଥାର ଓ ମହାପ୍ରଭୁଙ୍କ ନାମରେ ରେକର୍ଡ ଅଛି । ତେଣୁ କେଉଁ ମାନଙ୍କର ବେଆଇନ୍ ନିର୍ମାଣ ପ୍ରଶାସନ ରୋକିବ ସେଥିପାଇଁ ବର୍ଗୀକରଣ କରାଯିବା ଆବଶ୍ୟକ ବୋଲି ଆଇନଜୀବୀ ଶରତ ରାୟଗୁରୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।