ବ୍ରହ୍ମପୁର: ରାତାରାତି ଲକ୍ଷପତି ହେବାର ଲୋକ । ଅନଲାଇନ୍ ଟ୍ରେଡିଂ ନାଁରେ ଠକଙ୍କ ଜାଲରେ ଫସିରେ ୧୫୦ରୁ ଅଧିକ ଲୋକ । ଅଳ୍ପ ଦିନରେ ଟଙ୍କା ଦୁଇଗୁଣା ହୋଇଯିବା ଲୋଭରେ ମୂଳ ବି ପଳାଇଲା । ଏମିତି ଘଟଣା ବ୍ରହ୍ମପୁର ଖାଜା ସାହି ଓ ଆଖପାଖ ସାହିରେ ଘଟିଛି । ଆଉ ଠକେଇର ଶିକାର ହୋଇଛନ୍ତି ୧୫୦ରୁ ଅଧିକ ଲୋକ । ଯେଉଁମାନଙ୍କଠାରୁ ୪ କୋଟି ଟଙ୍କା ହଡପ କରି ନେଇଥିଲେ ଠକ । ତେବେ ଠକ ଟଙ୍କା ନଦେବାରୁ କିଛି ଯୁବକ ସେମାନଙ୍କୁ ଅପହରଣ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଅନ୍ୟପଟେ ଠକମାନଙ୍କୁ ପୋଲିସ ଉଦ୍ଧାର କରିବା ପରେ ଟଙ୍କା ବାଣ୍ଟିବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ବି ହୋଇଛି ।
ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଘଟଣାରେ ପୋଲିସ ସମୁଦାୟ ୩ଟି ମାମଲା ରୁଜୁ କରିଛି । ପୋଲିସ ଏହି ମାମଲାରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହେବା ପରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ଟାଉନ ଥାନା ଅନ୍ତର୍ଗତ ପାତ୍ରପେଟା ସାହି ଦ୍ବିତୀୟ ଲାଇନର ସେଖ୍ ସୁଲେମାନ ଅଲ୍ଲୀ ଅନଲାଇନ୍ ଟ୍ରେଡିଂ ନାମରେ ଅଧିକ ମୁନାଫା ଦେବାକୁ କହିବାରୁ ତାଙ୍କ ସମ୍ପ୍ରଦାୟର ଆଖପାଖ ସାହିର ୧୫୦ରୁ ଉର୍ଦ୍ଧ୍ବ ଲୋକ ପ୍ରାୟ ୪ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଥିଲେ । କିନ୍ତୁ ସେ ଟଙ୍କା ଦେଇ ନପାରିବାରୁ ତାଙ୍କୁ କିଛି ଯୁବକ ବାଇକ୍ ଓ ପରେ କାର ଯୋଗେ ଅପହରଣ କରି ନେଇଥିଲେ ।
ଏନେଇ ଟାଉନ ଥାନା ପୋଲିସ ଖବର ପାଇବା ପରେ ତାଙ୍କୁ ଦିଗପହଣ୍ଡିରୁ ଉଦ୍ଧାର କରିଥିଲା । ପୋଲିସ ଏହି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ତେବେ ପରେ ତାଙ୍କ ଟଙ୍କା ଫେରସ୍ତ କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଆକ୍ରମଣ ଓ ପ୍ରତି ଆକ୍ରମଣରେ ପୋଲିସ ଆଉ ୬ ଜଣଙ୍କୁ ଗିରଫ କରିଛି । ଅପହରଣ ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ହର୍ଷ ବିହାରର ସେଖ୍ ଅଲତାଫ(୩୨), ଖାଜା ସାହିର ମହମ୍ମଦ ସତାର (୩୯) ଏବଂ ଗୋଲିଆ ସାହିର ସୟଦ ନୁର ମହମ୍ମଦ ଖାଦ୍ରି (୩୦) । ଗଣ୍ଡଗୋଳରେ ସଂପୃକ୍ତ ଥିବା ଖାଜା ସାହିର ୟୁନୁସ ଖାନ ଏବଂ ସଲିମ ଖାନ (୩୭) ସମେତ ବିପକ୍ଷ ଗୋଷ୍ଠୀର ୩ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ବିପକ୍ଷ ଗୋଷ୍ଠୀର ଅଭିଯୁକ୍ତମାନେ ହେଲେ ଖାଜା ସାହିର ମନସୁର ବାଗ୍(୪୧), ସୟଦ ଏହସାନ ଏବଂ ସେଖ୍ ଅଜିମ(୩୩) ।