ରାଜଧାନୀ ପାଲଟୁଛି ରକ୍ତକ୍ଷେତ୍ର: ଯୁବକଙ୍କୁ ହତ୍ୟା କରିବା ପରେ ଟାଙ୍ଗି ଦେଲେ ଦୁର୍ବୃତ୍ତ


ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର । ଏକାମ୍ର କ୍ଷେତ୍ର ଭାବେ ପରିଚିତ ଭୁବନେଶ୍ବର ରକ୍ତକ୍ଷେତ୍ରରେ ପରିଣତ ହେବାରେ ଲାଗିଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଗଡୁଛି ମୁଣ୍ଡ । କେଉଁଠି ଛିନତାଇ ତ କେଉଁଠି ଠକେଇ । କେଉଁଠି ଅପହରଣ ତ କେଉଁଠି ହତ୍ୟା । ସତେ ଯେମିତି ରାଜଧାନୀ ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ପୋଲିସ ଆକ୍ସନ ନେଉଛି ହେଲେ ଏହାର କିଛି ସୁଫଳ ଦେଖିବାକୁ ମିଳୁନି । ଅପରାଧୀଙ୍କ ଦୌରାତ୍ମ୍ୟ ଏତେ ବଢ଼ି ଯାଇଛି ଯେ, ରାତି ହେଲେ ଡର, ଦିନରେ ଘରୁ ବାହାରିବାକୁ ବି ଲାଗୁଛି ଡର । କାରଣ କଥା କଥା କେ ଗୁଳି ଫୁଟୁଛି, ଖଣ୍ଡା ବୁଲୁଛି ।

ରାଜଧାନୀରେ ପୁଣି ଏକ ହତ୍ୟା ସହରବାସୀଙ୍କୁ ଦୋହଲାଇ ଦେଇଛି । ଆଉ ଅପରାଧୀମାନେ କେବଳ ଯୁବକଙ୍କୁ ହତ୍ୟା କରିନାହାନ୍ତି । ମାରିବା ପରେ ତାଙ୍କୁ ଟାଙ୍ଗି ଦେଇଛନ୍ତି । ଭୁବନେଶ୍ୱର ଅଟଳା ଅଞ୍ଚଳରେ ଏହି ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ଭାଲୁଆ । ତାଙ୍କ ଘର ଭଦ୍ରକ ଜିଲ୍ଲା ସାବରଙ୍ଗ ଅଞ୍ଚଳରେ ।

ଆଜି ସକାଳେ ଅଟଳା ଅଞ୍ଚଳରେ ଥିବା ଗ୍ୟାସ ଦୋକାନରେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ମୃତ ଯୁବକଙ୍କ ବେକରେ ଗାମୁଛା ଲାଗିଥିବା ବେଳେ ପାଦ ଓହଳି ତଳେ ଲାଗିଥିଲା । ପାହାଳ ପୋଲିସ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଯୁବକଙ୍କ ବେକରେ ଲାଗିଥିବା ଗାମୁଛାକୁ ଜବତ କରିଛି ।

ଯୁବକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଛି । ତେବେ ଯୁବକଙ୍କୁ କିଏ ଓ କାହିଁକି ହତ୍ୟା କରି ଟାଙ୍ଗି ଦେଲା ତାହା ଜଣାପଡ଼ିନାହିଁ । ପୂର୍ବ ଶତ୍ରୁତା କାରଣରୁ ଯୁବକଙ୍କ ହତ୍ୟା କରାଗଲା ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ିନାହିଁ ।