ଶୀତ ଗାଏବ, ଫେବୃଆରୀରେ ୩୬ ଡିଗ୍ରୀ ପାର କଲା ପାରଦ


ଭୁବନେଶ୍ବର: ଫେବୃଆରୀ ମାସରେ ଅସମ୍ଭାଳ ତାତି । ଦିନର ତାପମାତ୍ରା ଛୁଇଁଲା ୩୬ ଡିଗ୍ରୀ । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ଆହୁରି ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଖରାରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଘରେ ହେଉ କି ବାହାରେ, ଦେହରୁ ଗମଗମ୍ ଝାଳ ବାହାରୁଛି । ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ଚଳିତବର୍ଷ ପ୍ରଥମ ଥର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ଟିଟିଲାଗଡ଼ରେ ୩୬, ପାରଳାଖେମୁଣ୍ଡି ୩୫.୮, ଝାରସୁଗୁଡା ୩୫.୬, ସମ୍ବଲପୁର ୩୫.୧ ଓ ଭବାନୀପାଟଣାରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ବରରେ ପାରଦ ୩୪.୯ ଡିଗ୍ରୀ ସେଲସିୟସ୍ ରହିଥିଲା ।

ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ ୪ରୁ ୫ ଦିନ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ତେଣୁ ତାପମାତ୍ରା ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ମେଘମୁକ୍ତ ଆକାଶ ସହ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରଭାବରେ ତାପମାତ୍ରା ବଢିଛି ।