ବାରାବଟୀ ମ୍ୟାଚ୍ ପାଇଁ ଟିକେଟ ନମିଳେଲେ ନୋ ଟେନସନ୍, ମାଗଣାରେ ଦେଖନ୍ତୁ ଏହି ମ୍ୟାଚ୍


ଭୁବନେଶ୍ବର: ବାରାବଟୀ ଦିନିକିଆ ପାଇଁ ଚାଲିଛି ଟିକେଟ ବିକ୍ରି । ଅନଲାଇନ୍ ଟିକେଟ ମାତ୍ର ଅଧ ଘଣ୍ଟାଏରେ ଶେଷ ହୋଇ ଯାଇଥିବା ବେଳେ ଆଜିଠାରୁ ଅଫଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ହେଲେ ବାରବାଟୀ ଟିକେଟ ପାଇବା ଏତେ ସହଜ ନୁହେଁ । ଅନଲାଇନରେ ମାତ୍ର ୪ ହଜାର ଟିକେଟ ବିକ୍ରି ପାଇଁ ଉପଲବ୍ଧ ହୋଇଥିଲା । ଯାହାକୁ ହାସଲ କରିବାକୁ ଆବେଦନ କରିଥିଲେ ୬୦ ହଜାର ଦର୍ଶକ । ଏଥିରୁ ଜାଣି ପାରୁଥିବେ କ୍ରିକେଟ୍ କ୍ରେଜ୍ ଓଡ଼ିଶାରେ କେମିତି ରହିଛି ।

ତେବେ କ୍ରୀଡାପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଆଉ ଏକ ଅନ୍ତର୍ଜାତୀୟ ଇଭେଣ୍ଟ । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ  ଖେଳାଯିବ ଏଫଆଇଏଚ ହକି ପ୍ରୋ ଲିଗ । ଭାରତ ସମେତ ଇଂଲଣ୍ଡ, ସ୍ପେନ, ଜର୍ମାନୀ, ଆୟର୍ଲାଣ୍ଡ ଓ ନେଦରଲାଣ୍ଡ୍ସ ଭଳି ଦଳ ଏଥିରେ ଅଂଶଗ୍ରହଣ କରିବେ । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଫେବୃଆରୀ ୧୫ରୁ ୨୫ ମଧ୍ୟରେ ଏଫଆଇଏଚ ହକି ପ୍ରୋ ଲିଗର ଭାରତ ଚରଣର ମ୍ୟାଚ ଖେଳାଯିବ ।

ଏହି ୧୦ ଦିନ ହକିର ମହାକୁମ୍ଭ ଆୟୋଜିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ମାଗଣା ଟିକେଟର ବ୍ୟବସ୍ଥା କରାଯାଇଛି । ଅନଲାଇନରେ ଆବେଦନ କରିବା ଦ୍ବାରା ଜଣଙ୍କୁ ମାଗଣାରେ ମ୍ୟାଚ ଦେଖିବାକୁ ସୁଯୋଗ ମିଳିବ । ଜଣେ ବ୍ୟକ୍ତି ଚାହିଁଲେ ଏକା ସାଥୀରେ ୬ଟି ଟିକେଟ କିଣି ପାରିବେ । https://ticketgenie.in/ ୱେବସାଇଟ କିମ୍ବା ଆପ ମାଧ୍ୟମରେ ଏହି ଟିକେଟ କିଣା ଯାଇପାରିବ । ମୋବାଇଲରେ ଆସିଥିବା ଟିକେଟକୁ କାଉଣ୍ଟରରେ ଦେଖାଇଲେ ଟିକେଟ ମିଳିବ । ଯାହାକୁ ଦେଖାଇ ଷ୍ଟାଡିୟମରେ ପ୍ରବେଶ କରିହେବ ।

ନିକଟରେ ରାଉରକେଲା ଓ ରାଞ୍ଚିରେ ହକି ଇଣ୍ଡିଆ ଲିଗ ଉଦଯାପିତ ହୋଇଥିଲା । ଏଥିପାଇଁ ମଧ୍ୟ ମାଗଣା ଟିକେଟ ବ୍ୟବସ୍ଥା କରାଯାଇଥିଲା । ଓଡ଼ିଶା ସରକାର ହକିର ପ୍ରୟୋଜକ ରହିଥିବା ବେଳେ ହକିର ପ୍ରଚାର ପ୍ରସାର ପାଇଁ ହକି ଇଣ୍ଡିଆ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ସଭାପତି ଦିଲୀପ ତୀର୍କି । ଉଲ୍ଲେଖ ଯୋଗ୍ୟ, ଭାରତୀୟ ପୁରୁଷ ଦଳ ୧୫ ଓ ୧୬ ତାରିଖରେ ସ୍ପେନ, ୧୮ ଓ ୧୯ ତାରିଖରେ ଜର୍ମାନୀ, ୨୧ ଓ ୨୨ ତାରିଖରେ ଆୟର୍ଲାଣ୍ଡ ଏବଂ ୨୪ ଓ ୨୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଏହାର ମ୍ୟାଚ ଖେଳିବ । ଅନ୍ୟପକ୍ଷରେ ମହିଳା ଦଳ ୧୫ ଓ ୧୬ ତାରିଖରେ ଇଂଲଣ୍ଡ, ୧୮ ଓ ୧୯ ତାରିଖରେ ସ୍ପେନ, ୨୧ ଓ ୨୨ ତାରିଖରେ ଜର୍ମାନୀ ଏବଂ ୨୪ ଓ ୨୫ ତାରିଖରେ ନେଦରଲାଣ୍ଡ୍ସ ବିପକ୍ଷରେ ଏହାର ମ୍ୟାଚ ଖେଳିବ । ବର୍ତ୍ତମାନ ଏଫଆଇଏଚ ହକି ପ୍ରୋ ଲିଗରେ ଭାରତୀୟ ପୁରୁଷ ଦଳ ଅଷ୍ଟମ ଓ ମହିଳା ଦଳ ନବମ ସ୍ଥାନରେ ରହିଛି ।