ସାବଧାନ ! ରାସ୍ତାରେ ବୁଲୁଛି ବାଘ


କଟକ: ରାସ୍ତାରେ ବୁଲୁଛି କଲରାପତରିଆ ବାଘ । ଲୋକଙ୍କ ମଧ୍ୟରେ କୋକୁଆ ଭୟ । ସ୍ଥିତି ଏମିତି ଯେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଜୟପୁର ପ୍ରଗଳା ନିକଟରେ । ଗତକାଲି ରାତିରେ ଲୋକେ ବଜାରରୁ ଘରକୁ ଫେରୁଥିବା ବେଳେ ପ୍ରଗଳା ମୁଖ୍ୟ ରାସ୍ତାରେ ଏକ କଲରାପତରିଆ ବାଘ ରାସ୍ତା ଉପରେ ବୁଲୁଥିବା ଦେଖିବାକୁ ଯାଇଥିଲେ ।

ବାଘକୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ପରେ ଲୋକମାନେ ବାଡ଼ି, ଠେଙ୍ଗା ଧରି ହୋହଲ୍ଲା କରିବାରୁ ବାଘଟି ଜଙ୍ଗଲ ଭିତରକୁ ପଳାଇଯାଇଥିଲା । କିଛି ଲୋକ ବାଘକୁ ନିଜ ମୋବାଇଲରେ ରେକର୍ଡ କରିଛନ୍ତି । ରାସ୍ତାରେ ବାଘ ବୁଲୁଥିବା ଖବର ଚାରି ଆଡେ ପ୍ରସାରିତ ହେବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ବଜାରଘାଟକୁ ଯିବାକୁ ଭୟ କରୁଛନ୍ତି । ବାଘ ବୁଲୁଥିବା ନେଇ ବନ ବିଭାଗକୁ ଅବଗତ କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପକ୍ଷରେ ବାଘର ଗତିବିଧି ଉପରେ ନଜର ରଖିଥିବା କହିଛି ବନ ବିଭାଗ ।