ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର


ଢେଙ୍କାନାଳ: ବିଦ୍ୟାର୍ଥୀ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଲେଜ କର୍ତ୍ତୃପକ୍ଷ ଝିଅକୁ ମାଡ ମାରିଥିବା ବାପା ଆଣିଲେ ଅଭିଯୋଗ । ମୃତ ଛାତ୍ରୀଙ୍କ ଘର ରାସୋଳ ଅଞ୍ଚଳରେ । ଏକ ବାହାଘରରେ ଯୋଗ ଦେବା ପାଇଁ ଛାତ୍ରୀ ଜଣଙ୍କ ଗାଁକୁ ଯାଇଥିଲେ । ଗୁରୁବାର ଦିନ ତାଙ୍କ ବାପା ତାଙ୍କୁ ଆଣି ହଷ୍ଟେଲରେ ଛାଡିଥିଲେ । ୮ ତାରିଖ ଦିନ ପରୀକ୍ଷା ଥିବା କାରଣରୁ ଆଜି ଘରୁ ଆସିଥିଲେ । ଘରେ ରାତିରେ ଖୁସି ଥିବା ଝିଅ ହଷ୍ଟେଲରେ କାହିଁକି ଆତ୍ମହତ୍ୟା କଲା ବୋଲି ପ୍ରଶ୍ନ କରିବା ସହ କଲେଜ କର୍ତ୍ତୃପକ୍ଷଙ୍କ ଉପରେ ଦୋଷ ଲଦିଛନ୍ତି ।

ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ପାଇକଦହିକୋର ସ୍ଥିତ ବିଦ୍ୟାର୍ଥୀ କଲେଜର ଯୁକ୍ତଦୁଇ ପ୍ରଥମ ବର୍ଷରେ ପଢୁଥିଲେ ମୃତ ଛାତ୍ରୀ । ଅପରାହ୍ନ ୫ ଟାରେ ଟିଫିନ ଖାଇବା ପାଇଁ ସହପାଠୀ ଡାକିବାରୁ ସେ ଔଷଧ ଲଗାଇବା କହି ଯାଇ ନଥିଲେ । ସାଙ୍ଗମାନେ ଆସିବା ପରେ କବାଟ ବନ୍ଦ ଥିବା ଦେଖି କଲେଜ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । କର୍ତ୍ତୃପକ୍ଷ କବାଟ ଭାଙ୍ଗି ଦେଖନ୍ତି ତ ଛାତ୍ରୀ ଜଣକ ଫ୍ୟାନରେ ଝୁଲୁଛନ୍ତି ।

ଖବର ପାଇ ଗୋବିନ୍ଦପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ପୋଲିସ ଘଟଣାର ତନାଘନା କରିବା ସହ ତଦନ୍ତ ଜାରି ରଖିଛି । ପରିବାର ଲୋକ କଲେଜ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଇଛନ୍ତି । ଛାତ୍ରୀ ଜଣଙ୍କୁ ହଷ୍ଟେଲରେ ଭଲ ଲାଗୁ ନଥିଲା । ପ୍ରଥମ ବର୍ଷ ପାଠପଢା ଶେଷ ହେବା ପରେ ଝିଅକୁ ଘରକୁ ନେଇଯିବା ପାଇଁ  ତାଙ୍କ ବାପା ଚିନ୍ତା କରିଥିଲେ । କଲେଜ କର୍ତ୍ତୃପକ୍ଷ ଛାତ୍ରୀଙ୍କ ବାପାଙ୍କୁ ସନ୍ଧ୍ୟା ୭ଟାରେ କଲ କରିଥିଲେ । ପ୍ରଥମରୁ କଲେଜ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ସୂଚନା ଦେଇ ନଥିଲେ । ପହଞ୍ଚିବା ପରେ ତାଙ୍କ ବାପା ଜାଣିଥିଲେ ଝିଅ ମୃତ । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ କ’ଣ ତାହା ପୋଲିସ ତଦନ୍ତ ପରେ ଜଣାପଡିବ । ଏ ସଂପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।