ବାରବାଟୀ ମହାସମର ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି


ପୁରୀ: ଆସନ୍ତାକାଲି ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ କ୍ରିକେଟ୍ ଟିମ୍ । ଏହା ପୂର୍ବରୁ ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରି ବିଜୟ ଆଶୀର୍ବାଦ ନେଇଛନ୍ତି ଭାରତୀୟ ଖେଳାଳି । ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ୍ ସୁନ୍ଦର ଏବଂ ଅକ୍ଷର ପଟେଲ୍ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ।

ରବିବାର ବାରବାଟୀରେ ଭାରତ-ଇଂଲଣ୍ଡ ଟକ୍କର । ମୁକାବିଲା ୨ ଦଳ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ଆଜି ଟିମ ଇଣ୍ଡିଆ ବାରବାଟୀକୁ ଅଭ୍ୟାସ ପାଇଁ ଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଅପରାହ୍ଣ ୫ଟାରେ ଅଭ୍ୟାସ କରିବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି । 

ଖେଳାଳିମାନେ ଭୁବନେଶ୍ୱର ମେ’ଫେୟାରରେ ରହୁଥିବାରୁ ଅଭ୍ୟାସ ଓ ରବିବାର ମ୍ୟାଚ୍ ପାଇଁ ପରିବହନ କରିବାକୁ ଓସିଏ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଓସିଏ ପକ୍ଷରୁ ୫ଟି ସ୍ୱତନ୍ତ୍ର ବସ୍ ସହ କିଛି ଇନୋଭା ଗାଡ଼ି କମିଶନରେଟ ପୋଲିସକୁ ହସ୍ତାନ୍ତର କରାଯାଇଛି । ଷ୍ଟାଡିୟମରେ ମଧ୍ୟ ଖେଳାଳିଙ୍କ ଅଭ୍ୟାସ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉଭୟ ଦଳର ଅଭ୍ୟାସ ପାଇଁ ସ୍ୱତନ୍ତ୍ର ପିଚ୍ ନିର୍ମା‌ଣ ହୋଇଥିବା ବେଳେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶନିବାର ଖେଳାଳିମାନଙ୍କ ଅଭ୍ୟାସ ଦେଖିବା ପାଇଁ ଦର୍ଶକମାନଙ୍କୁ ଷ୍ଟାଡିୟମରେ ଗ୍ୟାଲେରି ନଂ-୫କୁ ଯିବା ସୁବିଧା କରାଯାଇଛି । ଦର୍ଶକଙ୍କ ଭିଡ଼କୁ ଅନୁମାନ କରି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମ୍ୟାଚ୍ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।