ବାଇକକୁ ପିଟିଲା କାର୍, ଚାଲିଗଲା ତିନି ଯୁବକଙ୍କ ଜୀବନ


ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅମାନିଆ ଗାଡି ଚାଳକଙ୍କ ଆତଙ୍କ । ଏକ BMW କାର୍ ଜଣଙ୍କ ଘରେ ପଶିଯାଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ତିନି ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଏକ କାର୍ ବାଇକକୁ ଧକ୍କା ଦେବାରୁ ତିନି ଯୁବକଙ୍କ ଜୀବନ ଚାଲିଯାଇଛି । ମୃତ ଯୁବକମାନେ ରସୁଲଗଡ଼ ଜିଜିପି କଲୋନୀରେ ରହୁଥିବା ଜଣାପଡ଼ିଛି ।

ଗତକାଲି ବିଳମ୍ବିତ ରାତିରେ କାରଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା । ଏହି ସମୟରେ ଭୁବନେଶ୍ୱର ଟଙ୍କପାଣି ସାଇ ମନ୍ଦିର ନିକଟରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ କାର୍‌ର ଧକ୍କା ହୋଇଥିଲା । ବାଇକରେ ଥିବା ୩ ଜଣଙ୍କ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ହେଲେ କାର୍‌ରେ ଥିବା ୨ ଜଣଙ୍କର କିଛି ହୋଇ ନଥିଲା । ହେଲେ ଦୁର୍ଘଟଣା ପରେ କାର୍‌ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ବଡ଼ଗଡ଼ ପୋଲିସ କାର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏଥିସହ ମୃତ ଯୁବକଙ୍କ ସଂପର୍କୀୟଙ୍କୁ ଖବର ଦେଇଛି ଓ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ରଙ୍ଗ ରୁଟ୍‌ରେ ବାଇକ୍‌ ଆରୋହୀ ଆସିବା ଯୋଗୁଁ ଦୁର୍ଘଟଣା ଘଟିଛି ନା, ଅଲଗା କିଛି କାରଣ ରହିଛି ଜଣାପଡ଼ିନାହିଁ । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି । ଦୁର୍ଘଟଣାରେ କାର୍‌ର ସମ୍ମୁଖ ଅଂଶଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି ।