ସୁଭଦ୍ରା ଯୋଜନାରୁ ଧରାପଡ଼ିଲା ଭତ୍ତା କେଳାଙ୍କାରୀ


ପୁରୀ: ରାଜ୍ୟରେ ଭତ୍ତା ଓ ରାସନ ବଣ୍ଟନରେ କେଳେଙ୍କାରୀ ଚାଲିଥିବା ବିଭିନ୍ନ ମହଲରୁ ପ୍ରାୟ ସବୁ ବେଳେ ଅଭିଯୋଗ ହୋଇଆସିଛି । ହେଲେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି । ଫଳରେ ବର୍ଷ ବର୍ଷ ଧରି ଏହି କେଳେଙ୍କାରୀ ଚାଲିଛି । ତେବେ ସୁଭଦ୍ରା ଯୋଜନା ଆସିବା ପରେ ଭତ୍ତା କେଳେଙ୍କାରୀ ପଦାରେ ପଡ଼ିବାରେ ଲାଗିଛି । ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି ଘଟଣା । ନିଜକୁ ୬୦ ବର୍ଷରୁ ଅଧିକ କହି ଭତ୍ତା ନେଉଥିବା ଦୁଇ ଜଣ ମହିଳା ସୁଭଦ୍ରା ଟଙ୍କା ପାଇବା ପରେ ଭତ୍ତା ପ୍ରଦାନରେ ଚାଲିଥିବା କେଳେଙ୍କାରୀ ପଦାରେ ପଡ଼ିଛି ।

ପୁରୀ ଜିଲ୍ଲା ଗୋପ ବ୍ଲକ ଦେସ୍ଥଳୀ ପଞ୍ଚାୟତ ବାଲି ଉପର ଗାଁର ମନୋରମା ମହାନ୍ତି ଓ ଶୋହଣା ଶାସନର ମମତା ମିଶ୍ର । ଉଭୟେ ନିଜର ବୟସ ୬୦ରୁ ଅଧିକ ଦର୍ଶାଇ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । ଆଉ ଏବେ ଆଧାର କାର୍ଡରେ ଥିବା ବୟସ ଦେଖାଇ ସୁଭଦ୍ରା ଟଙ୍କା ପାଇଛନ୍ତି । କେବଳ ଏହି ଦୁଇ ଜଣ ନୁହନ୍ତି, ଦେସ୍ଥଳୀ ପଞ୍ଚାୟତର ୨୧ ଜଣ ଏଭଳି କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଜିଲ୍ଲାପାଳ ଓ ବିଡିଓଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଅଭିଯୋଗ ଅନୁସାରେ, ୨୦୨୨ ମସିହା ଭୋଟର ତାଲିକାରେ ଯେଉଁମାନଙ୍କୁ ୬୦ ପୂରିବାକୁ ଆହୁରି ୧୦ରୁ ୧୨ ବର୍ଷ ଥିଲା, ସେମାନେ ୨୦୨୪ ମସିହା ଭୋଟର ତାଲିକାରେ ନିଜକୁ ୬୫ରୁ ୭୦ ବର୍ଷ ଦର୍ଶାଇ ଭତ୍ତା ପାଉଛନ୍ତି । ହେଲେ ଏହାକୁ ବିଡିଓ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି । ଏନେଇ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା କହିଛନ୍ତି, ଦୁର୍ନୀତିରେ ସଂପୃକ୍ତ ଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ମାତ୍ର ବିଡିଓ ଛବିରାଣୀ ସାହୁ ଏ ସଂପର୍କରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି ।