ସନାଙ୍କୁ ନବୀନଙ୍କ ପ୍ରଶ୍ନ ପଦାରେ ପକାଇଲା ବିଜେଡି ଭିତରର ଭୟ !


ଭୁବନେଶ୍ବର: କ୍ଷମତାରୁ ଯିବା ପରେ ବିଜେଡିକୁ ଘାରିଛି ଦଳ ଭାଙ୍ଗିଯିବା ଚିନ୍ତା । ୨୦୨୪ ନିର୍ବାଚନ ହାରିବା ପରେ ବିଜେଡି ଏବେ ଭାଗ ଭାଗ । ଦଳ ଏହାକୁ ସ୍ବୀକାର ନକଲେ ବି ଭିତରେ ଭିତରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି । ସିନିୟର ଓ ଜୁନିୟର ଭାଗ ଭାଗ ହୋଇ ନିଜ ଇଚ୍ଛାରେ କାମ କରୁଛନ୍ତି । ଆଉ ଏସବୁ ଭିତରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଘାରିଛି ଦଳ ଭାଙ୍ଗିଯିବା ଚିନ୍ତା । କାଳେ କେହି ବିଜେଡି ଶିବିରରୁ ଡେଇଁ ପଦ୍ମ ଧରି ପକାଇବ, ସେହି ଡର ଏବେ ନବୀନଙ୍କୁ ବିଚଳିତ କରିବାରେ ଲାଗିଛି । ଆଉ ଯାହାର ଉଦାହରଣ ଗତକାଲି ଦେଖିବାକୁ ମିଳିଥିଲା । ନବୀନ ବିଧନସଭା ବଜେଟ ଅଧିବେଶନ ପାଇଁ ଗୃହରେ ପ୍ରବେଶ କରିବାକୁ ଯାଉଥିବା ବେଳେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦେଖି ଚିଇଁକି ଉଠିବା ଏବେ ଏହି ନିଆଁରେ ଘିଅ ଢାଳିବା ପରି ହୋଇଛି । ନବୀନ ସନାଙ୍କୁ ଦେଖିବ କ୍ଷଣି ପ୍ରଶ୍ନ କରିଥିଲେ ବିଧାୟକ ଦଳ ବୈଠକକୁ କାହିଁକି ଆସିଲନି ? ଏହାସହ ବିଜେପି ଆଡକୁ ଢଳୁଥିବା ନେଇ ପ୍ରଶ୍ନ ମଧ୍ୟ ପଚାରିଲେ ବସିଲେ । ଯାହା ସେଠାରେ ଉପସ୍ଥିତ ଦଳୀୟ ବିଧାୟକଙ୍କୁ ହତବାକ କରି ଦେଇଥିଲା ।

ସୂଚନାଯୋଗ୍ୟ, ଗତକାଲି ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ନବୀନ ଗୃହକୁ ପ୍ରବେଶ କରୁଥିଲେ । ଠିକ୍‌ ସେତିକି ବେଳେ ତାଙ୍କୁ ସ୍ୱାଗତ କରିବାକୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମେତ ଦଳୀୟ ବିଧାୟକମାନେ ଉପସ୍ଥିତ ଥିଲେ । ନବୀନ ଗାଡ଼ିରୁ ଓହ୍ଲାଇବା ବେଳେ ସନାଙ୍କୁ ଦେଖି ଚିହିଁଙ୍କି ଉଠିଥିଲେ । ବିଜେପି ଯାଉଥିବା କଥା କହି ବସିଥିଲେ ନବୀନ ।

ନବୀନଙ୍କ ଏପରି ପ୍ରଶ୍ନକୁ ନେଇ ପରେ ସନା ମହାକୁଡ଼ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ସଫେଇ ଦେଇ କହିଛନ୍ତି, ମୁଁ କାହିଁକି ବିଜେଡି ଛାଡ଼ିବି । ଯଦି ଯିବି ୨୦୨୯ ପରେ । କାରଣ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ । ସ୍ଥାନୀୟ ଲୋକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି । ଖାଲି ମୁଁ ନୁହେଁ, କେନ୍ଦୁଝର ଜିଲ୍ଲାର ଘସିପୁରା ଓ ଆନନ୍ଦପୁର ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛନ୍ତି । ତାଙ୍କୁ କାହିଁକି କିଛି କୁହାଯାଉନି ।

୨୦୨୪ ସାଧାରଣ ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିରେ ଏବେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି । କେହି କାହାରିକୁ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି । ଜୁନିୟର ଓ ସିନିୟର ଭାବେ ଗୋଷ୍ଠୀ କରି ଦବଦବା ଜାହିର କରିବାକୁ ସମସ୍ତେ ଚେଷ୍ଟା କରୁଛନ୍ତି । ସେପଟେ ଏବେ ବି ପାଣ୍ଡିଆନ ପରଦା ପଛରେ ରହି ବିଜେଡିକୁ ନିୟନ୍ତ୍ରଣ କରୁଥିବା ଚର୍ଚ୍ଚା ମଧ୍ୟ ସମୟେ ସମୟେ ଉଠୁଛି । ତେବେ ପ୍ରଶ୍ନ ଉଠୁଛି, ଖସୁଥିବା ପକଡକୁ ମଜଭୁତ କରିବାକୁ ନବୀନଙ୍କ ଏ ପ୍ରୟାସ କେତେ ସଫଳ ହେବ ? ବିଚଳିତ ହେଉଥିବା ବିଜେଡି ନେତାଙ୍କୁ ସନାଙ୍କ ମାଧ୍ୟମରେ ନବୀନ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ? ତେବେ ସନାଙ୍କୁ ନବୀନ ପଚାରିଥିବା ପ୍ରଶ୍ନ ମିଡିଆରେ ଘୁରି ବୁଲୁଛି ।

ଅନ୍ୟପଟେ ବିଜେପି କହିଛି, ବିଧାୟକମାନେ ବିଜେପି ମୁହାଁ ହେଉଥିବାରୁ ନବୀନ ଚିନ୍ତାରେ । ଦଳ ଆଉ ରହିବନି । ତେଣେ କଂଗ୍ରେସ କହିଛି ସନାଙ୍କୁ ନବୀନ ତାଗିଦ କରିବା ଅର୍ଥ, ନବୀନ ମାନସିକ ଭାବରେ ଦୁର୍ବଳ ହେଇପଡିଛନ୍ତି । କାଳେ କିଏ ତାଙ୍କ ଦଳରୁ ପଳେଇବେ ବୋଲି ସେ ତାଗିଦ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର କାର୍ଯ୍ୟ କରିବା କ’ଣ ପାପ ବୋଲି ତାରା ପଚାରିଛନ୍ତି ।

ଶାସନ ଗାଦିରୁ ଯିବା ପରେ ବିଜେଡିର ୨ ସାଂସଦ ମମତା ମହାନ୍ତ ଏବଂ ସୁଜିତ କୁମାର ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ପ୍ରତିଦିନ ପଞ୍ଚାୟତ ପ୍ରତିନିଧି ଓ ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେଉଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ନବୀନ ନିଜ ଛବି ସୁଧାରିବାକୁ ଏଭଳି ବାର୍ତ୍ତା ଦେଉଛନ୍ତି । ସନା କିନ୍ତୁ ବିଜେପି ସମ୍ପର୍କରେ ଅଛନ୍ତି । ତେବେ ନବୀନ ବାବୁଙ୍କ ଏହି ଷ୍ଟ୍ରାଟେଜି ଦଳକୁ ସଂଗଠିତ କରିବା କାଠିକର ପାଠ । ଏବେ ଦେଖିବାର କଥା ସନାଙ୍କୁ ତାଗିଦ୍ ପରେ ସନାଙ୍କ ଭଳି ନେତାଙ୍କ ଆଚରଣ ଓ ଉଚ୍ଚାରଣରେ କିଛି ଫରକ ଆସୁଛି କି ନାହିଁ ।