ଭୁବନେଶ୍ବର: ଦୀର୍ଘ ୭ ମାସ ପରେ ନୂଆ ମୁଖିଆ ପାଇଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବା ପରେ ଏବେ ପଲିଟିକାଲ କରିଡରରେ ସବୁଠାରୁ ଅଧିକ ଚର୍ଚ୍ଚାରେ ସୁରେଶ କୁମାର ରାଉତରାୟ ଓରଫ ସୁର ଭାଇ । ଶୁଣିବାକୁ ମିଳୁଛି ସୁର ବାବୁ ପୁଣି ଥରେ କଂଗ୍ରେସକୁ ଫେରୁଛନ୍ତି । କଂଗ୍ରେସର ନୂଆ ମୁଖିଆଙ୍କ ନିଯୁକ୍ତି ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ଭକ୍ତ ଚରଣ ଦାସ କଂଗ୍ରେସର ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ସୁର ବାବୁଙ୍କ ଉପରୁ ନିଲମ୍ବନ ଆଦେଶ ଉଠିପାରେ ବୋଲି ଆଲୋଚନା ହେଉଛି ।
ତେବେ ସୁର କହିଛନ୍ତି, ଫେରାଇ ନେଲେ କଂଗ୍ରେସ ପାଇଁ ଫୁଲ ଦମ୍ରେ କାମ କରିବି । କଂଗ୍ରେସର ପୁରୁଣା ନେତା ଓ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି । ହେଲେ ମୁଁ ଏଯାଏଁ ଭକ୍ତ ଚରଣ ଦାସଙ୍କ ସହ ସହ କଥା ହୋଇ ନାହାନ୍ତି ।
ସେ ଆହୁରି କହିଛନ୍ତି, ସମସ୍ତଙ୍କୁ ନେଇ ଚାଲିବାକୁ ପ୍ରସ୍ତାବ ଦେଇଛନ୍ତି ନୂଆ ପିସିସି ସଭାପତି । କିନ୍ତୁ ଭକ୍ତ ଦାସ ତାଙ୍କ ସହ କିମ୍ବା ସେ ଭକ୍ତଙ୍କ ସହ କଥା ହୋଇ ନାହାନ୍ତି । ତେବେ ଗତକାଲି ମାନସ ଚୌଧୁରୀଙ୍କ ଉପରୁ ନିଲମ୍ବନ ଉଠିଥିବାରୁ ସୁରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ନିର୍ବାଚନ ବେଳେ ସୁରେଶ ରାଉତରାୟଙ୍କୁ ନିଲମ୍ବନ କରିଥିଲା କଂଗ୍ରେସ ।
ସୂଚନାଯୋଗ୍ୟ, ଦୀର୍ଘ ୭ ମାସର ପ୍ରତୀକ୍ଷା ପରେ ରାଜ୍ୟ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ । ତେବେ ପିସିସି ସଭାପତି ହେଉ ହେଉ ଘର ସଜାଡ଼ିବାକୁ ପ୍ରାଥମିକତା ଦେବେ ବୋଲି ଭକ୍ତ କହିବା ସହ ଦଳ ଛାଡିଥିବା ନେତା ଫେରି ଆସିବାକୁ ନିବେଦନ କରିଛନ୍ତି । ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି ଓଡ଼ିଶାରେ ଅତି ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସକୁ କେମିତି ଟ୍ରାକକୁ ଆଣିବେ ଭକ୍ତ ? ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧି ଓ କ୍ଷମତା ଦଖଲ ପରେ କେମିତି ଗେରୁଆ ଦଳକୁ କରିବେ କାଉଣ୍ଟର ? ବିଜେଡିର ଭୋଟ୍ ବ୍ୟାଙ୍କକୁ ଛଡ଼ାଇ ଆଣିବାରେ ସଫଳ ହେବ ତ ଭକ୍ତ ? ଦଳର ସବୁ ବର୍ଗର ନେତା ଓ କର୍ମୀଙ୍କୁ ଏକାଠି ନେଇ ଚାଲିବା ଓ କଂଗ୍ରେସର ପୁରୁଣା ରୋଗକୁ ମ୍ୟାନେଜ୍ କରିବା ଭକ୍ତଙ୍କ ପାଇଁ ହେବ କାଠିକର ପାଠ ।