ମହିଳାଙ୍କୁ ମାରିବା ପରେ ବାଇକକୁ ୨ କିମି ଘୋଷାଡ଼ି ନେଲା ମୋ ବସ୍


ଭୁବନେଶ୍ବର: ରାଜଧାନୀରେ ପୁଣି ମୋ ବସ୍ ଦୁର୍ଘଟଣା । ମୋ ବସ୍ ଚକା ତଳେ ଗଲା ଆଉ ଏକ ଜୀବନ । ବେପରୁଆ ଗାଡି ଚାଳନା ପାଇଁ ଚାଲିଗଲା ମହିଳାଙ୍କ ଜୀବନ । ପାତ୍ରପଡାରେ ସିରିଜ ଦୁର୍ଘଟଣା ଘଟାଇ ଖସି ପଳାଉ ଥିବା ବେଳେ ମୋ ବସକୁ ମାଡି ବସିଲେ ଲୋକେ । ଦୁର୍ଘଟଣା ଘଟାଇବା ପରେ ଗୋଟିଏ ବାଇକକୁ ପ୍ରାୟ ୨ କିଲୋମିଟର ଘୋଷାଡ଼ି ନେଲା ବସ୍‌ ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳ ଏକ ପ୍ରକାର ରଣକ୍ଷେତ୍ର ପାଲ ଯାଇଥିଲା । ଉତ୍ତ୍ୟକ୍ତ ଲୋକେ ବସକୁ ଢେଲା ପଥର ମାଡ଼ ସହ ବସ ଭଙ୍ଗାରୁଜା କରିଥିଲେ ।

ତମାଣ୍ଡୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ଏହାସହ ପୋଲିସ ବସ ଡ୍ରାଇଭର ସହ ବସକୁ ଅଟକ ରଖି ତଦନ୍ତ କରୁଛି । ମୋ ବସ ଡ୍ରାଇଭର ମଦ୍ୟପାନ କରିଥିଲେ କି ନାହିଁ ସେନେଇ ଯାଞ୍ଚ କରାଯାଉଛି । ମୋ ବସଟି ରାସ୍ତାରେ ଗାଡ଼ିକୁ ଚଢ଼ାଉ ଥିବାର ଲାଇଭ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି I  ବେପରୁଆ ଭାବରେ ଗାଡ଼ି ଚଢାଇ ଦେବା ସହ ଗାଡ଼ିଟିକୁ ଲୋକଙ୍କ ଉପରକୁ ପୁଣି ଚଢାଇ ଦେବାକୁ ଉଦ୍ୟମ କରୁଛି I ରାସ୍ତା ଉପରେ ମୋ ବସର ଏହି ଭିଜୁଆଲ ଦେଖିଲା ପରେ, ସାଧାରଣ ଲୋକ ଗାଡ଼ି ଚଳାଇବାକୁ ନିଜକୁ ଅସୁରକ୍ଷିତ ମଣିବା ଆରମ୍ଭ କଲେଣି ।