ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଏବେ ସ୍କୁଲରୁ ଚୋରିକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଜିଲ୍ଲାର ବିଭିନ୍ନ ସ୍କୁଲରୁ ଚୋରି ହେଉଛି । ଆଉ ଲୁଟ ପରେ ଚୋରି ଯିବା ବେଳେ ଛାଡ଼ି ଯାଉଛି ପୋଲିସ ପାଇଁ ଚ୍ୟାଲେଞ୍ଜ ଭରା ମେସେଜ । ଫିଲ୍ମ ଷ୍ଟାଇଲରେ ପ୍ରତି ଚୋରି ପରେ ଚୋରମାନେ ସ୍କୁଲ କଳାପଟାରେ ଲେଖି ଯାଉଛନ୍ତି, ଆମେ ଲୋକାଲ ଗ୍ୟାଙ୍ଗ, ଚୋରି ଆମେ କରିଛୁ ।
କିଛିଦିନ ଜିଲ୍ଲାରେ ମାତିଛନ୍ତି ଲୋକାଲ ଗ୍ୟାଙ୍ଗ l ଟାର୍ଗେଟରେ ରହିଛି ବିଭିନ୍ନ ସ୍କୁଲ । ୧୫ ଦିନ ମଧ୍ୟରେ ୫ରୁ ଅଧିକ ବିଦ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଲୁଟପାଟ କରିଛନ୍ତି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ କରିବା ପରେ ଭାଙ୍ଗି ଚୁରମାର କରୁଛନ୍ତି ମୂଲ୍ୟବାନ ଆସବାବ ପାତ୍ର । ଏହାପରେ ସ୍କୁଲ କଳାପଟାରେ ଲେଖି ଯାଉଛନ୍ତି, ‘ଆମେ ଲୋକାଲ ଗାଙ୍ଗ, ଚୋରି ଆମେ କରିଛୁ’। ଗ୍ୟାଙ୍ଗର କାରନାମା ଦେଖି ପୁଲିସ ବି ତାଜୁବ ହୋଇଛି l
ଗତ ୧୨ ତାରିଖରେ ଶ୍ରୀ କାଳେଶ୍ୱର ଉଚ୍ଚ ବିଦ୍ୟାଳୟରେ କଳାକନା ବୁଲାଇ ଦେଇଥିଲେ ଚୋର । ସାଇନ୍ସ ଲ୍ୟାବଠାରୁ ନେଇ କମ୍ପୁଟର ଲ୍ୟାବ ସବୁ କକ୍ଷରେ ଲୁଟ ପାଟ୍ ସହ ଭଙ୍ଗାରୁଜା କରିଥିଲେ । ଫଳରେ ସ୍କୁଲରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ସାମଗ୍ରୀ ନଷ୍ଟ ହୋଇଯାଇଛି l ବିଦ୍ୟାଳୟ ପକ୍ଷରୁ ବାରମ୍ବାର ଅଭିଯୋଗ ପରେ ବି କବିସୂର୍ଯ୍ୟନଗର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି l ଫଳରେ ଛାତ୍ରଛାତ୍ରୀମାନେ ଚୋରକୁ ଧରିବା ଦାବିରେ ବୁଧବାର ଧାରଣା ଦେଇଥିଲେ ।