୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ: ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ


ଭୁବନେଶ୍ବର: ଗତକାଲି ବିଧାନସଭାରେ ୨୦୨୫-୨୬ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରାୟ ୨ଘଣ୍ଟା ୪୩ ମିନିଟର ବଜେଟ ଭାଷଣ ପଡିଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ଥର ମୋଟ୍ ବଜେଟ୍‌ ପରିମାଣ ୨ଲକ୍ଷ ୯୦ହଜାର କୋଟି ରହିଛି । ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଓଡ଼ିଆ ଅସ୍ମିତା କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ମୋହନ ସରକାର । ଏଥର କୃଷି ପାଇଁ ବଜେଟ୍‌ରେ ୩୭ ହଜାର ୮ ଶହ କୋଟି ବ୍ୟୟ ଅଟକଳ ହୋଇଛି । ଗତବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ । ବିଧାୟକ କଲ୍ୟାଣ ପାଣ୍ଠିକୁ ୩ କୋଟିରୁ ବଢାଯାଇ ୫ କୋଟି କରାଯାଇଛି । ଆସନ୍ତୁ ଜାଣିବା କେଉଁ ବିଭାଗକୁ ବଜେଟରେ କେତେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କୃଷି

ମୋହନ ସରକାର ୧୪ ହଜାର ୮୬୧ କୋଟି ଟଙ୍କାର କୃଷି ବଜେଟ୍‌ କରିଛନ୍ତି । ସମୃଦ୍ଧ କୃଷକ ଯୋଜନା ପାଇଁ ୬ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସିଏମ୍ କିସାନ ଯୋଜନା ପାଇଁ ୨ ହଜରା ୨୦ କୋଟି, ଶସ୍ୟ ବିବିଧତା କାର୍ଯ୍ୟକ୍ରମ ପାଇଁ ୬୯୫ କୋଟି, ଶ୍ରୀଅନ୍ନ ଅର୍ଥାତ୍ ମିଲେଟ୍ ପାଇଁ ୬ ଶହ କୋଟି, ଶୀତଳଭଣ୍ଡାର ପାଇଁ ୨୫୨ କୋଟି ଟଙ୍କା, ଏଥିରେ ୫୮ ଉପଖଣ୍ଡରେ ନୂତନ ଶୀତଳଭଣ୍ଡାର ପ୍ରତିଷ୍ଠା ହେବ ଓ ଅଚଳ ଶୀତଳଭଣ୍ଡାରରୁ ପୁନରୁଦ୍ଧାର କରାଯିବ । ସେହିପରି କୃଷି ଗବେଷଣା ବିଶ୍ୱ ବିଦ୍ୟାଳୟ ଓୟୁଏଟି ପାଇଁ ୫୧୧ କୋଟି, ଜଳେସେଚନ ପାଇଁ ୧୪ ହଜାର ୮୯୫ କୋଟି, ଚଳିତବର୍ଷ ସରିବ କାନପୁର ଡ୍ୟାନ ଓ ସ୍ପିଲ୍‌ୱେ କାମ । ହୀରାକୁଦ କେନାଲ ନବୀକରଣ ପାଇଁ ଖର୍ଚ୍ଚ ହେବ ୮୫୦ କୋଟିସିଏମ୍‌ ପୋଷଣ

ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଛାତ୍ରଛାତ୍ରୀଙ୍କ ପୁଷ୍ଟିସାଧନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାସହ ମଧ୍ୟାହ୍ନ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଭୋଜନ ପରିସରଭୁକ୍ତ କରାଯାଇଛି । ସରକାରୀ ଓ ଅନୁଦାନପ୍ରପ୍ତ ବିଦ୍ୟାଳୟର ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ । ସମସ୍ତ ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ଗୋଟିଏ ଅତିରିକ୍ତ ଅଣ୍ଡା ଦିଆଯିବ । ୩ଟି ପ୍ରୋଟିନ୍, ଆଇରନ୍‌ ଭରପୁର ଲଡ଼ୁ ଯୋଗାଇ ଦିଆଯିବ । ରୋଷେୟା ଓ ସହାୟିକାଙ୍କ ମାସିକ ପାରିତୋଷିକ ରାଶି ବୃଦ୍ଧି ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ପଞ୍ଚସଖା ଶିକ୍ଷା ସେତୁ

ମୋ ସ୍କୁଲ ଢାଞ୍ଚାରେ ପଞ୍ଚସଖା ଶିକ୍ଷ ସେତୁ ଅଭିଯାନ ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତି ପାଇଁ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ପୂରାତନ ଛାତ୍ରଛାତ୍ରୀ ଓ କର୍ପୋରେଟ୍ ସଂସ୍ଥା ଡୋନେସନର ଦୁଇ ଗୁଣା ଦେବେ ସରକାର । ଏଥିରେ ଉନ୍ନତ ଶ୍ରେଣୀଗୃହ ଓ ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ ହେବ । ମଧ୍ୟାହ୍ମ ଭୋଜନ ହଲ୍‌, ରୋଷେଇ ଘର ରହିବ । ମୁକ୍ତାକାଶ ପ୍ରେକ୍ଷାଳୟ ଓ ପ୍ରାର୍ଥନା ଗୃହ ବ୍ୟବସ୍ଥା କରାଯିବ । ପାନୀୟ ଜଳ ସୁବିଧା ଓ ଖେଳ ପଡ଼ିଆ ରହିବ । ଏହା ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବାତାବରଣକୁ ସମୃଦ୍ଧ କରିବ । ଏହି ଯୋଜନା ପାଇଁ ବ୍ୟୟ ବରାଦ ୧୪୦ କୋଟି ଟଙ୍କା ହୋଇଛି ।

ପକ୍କା ଘର

ଛାତଘର ପ୍ରତ୍ୟେକ ପରିବାରର ଆବଶ୍ୟକତା ଓ ଅଧିକାର । ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ପରିବାରକୁ ମିଳିବ ପକ୍କାଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜାନା ଗ୍ରାମୀଣରେ ୫ ଲକ୍ଷ ଘର ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ବଜେଟରେ ୪ ହଜାର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ବିଶେଷ କରି ଦୁର୍ବଳ ଜନଜାତି ଗୋଷ୍ଠୀ ପାଇଁ ପିଏମ୍ ଜନମନ ଯୋଜନାରେ ଗୃହ ନିର୍ମାଣ ପାଇଁ ୨୦୦ କୋଟି ଟଙ୍କା ଆବଣ୍ଟନ ବ୍ୟବସ୍ଥା କରାଯାଇଛି । ଗୃହ ନିର୍ମାଣ ପାଇଁ ବଜେଟ୍‌ରେ ଅନ୍ତୋର୍ଦୟ ଗୃହ ଯୋଜନା ଘୋଷଣା କରାଯାଇଛି । ଏହି ଯୋଜନାରେ ବ୍ୟୟ ବରାଦ ୨ହଜାର ୬୦୩ କୋଟି ରହିଛି ।

କନ୍ୟା ବିବାହ

ନୂଆ ଯୋଜନା ଭାବେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଘୋଷଣା କରିଛନ୍ତି ମୋହନ ମାଝୀ । ଗରିବ ଝିଅଙ୍କ ସାମୁହିକ ବିବାହ ଆୟୋଜନ କରାଯିବ । ସବୁଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏଥିପାଇଁ ବଜେଟ୍‌ରେ ୧୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବାଲ୍ୟ ବିବାହ ବନ୍ଦ ପାଇଁ ଆଦ୍ଵିକା ନାଁରେ ନୂଆ ଯୋଜନାର କରାଯିବ । 

ରାଜ୍ୟ ବଜେଟ୍

ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୁଷ୍ଟି ଯୋଜନା ପାଇଁ ୫୨୬ କୋଟି, ଓଡ଼ିଶା ପୁଷ୍ଟି ମିଶନ ପ୍ରତିଷ୍ଠା ପାଇଁ ୧୦୦ କୋଟିମାଳତୀ ଦେବୀ ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନା, ଏଥିପାଇଁ ବ୍ୟୟ ବରାଦ ୮୫ କୋଟି ଟଙ୍କା କରାଯାଇଛି । ଅଙ୍ଗନୱାଡି ପିଲାଙ୍କୁ ୟୁନିଫର୍ମ ପ୍ରଦାନ କରାଯିବ । ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ପାଇଁ ୧୯୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ନବମ ଶ୍ରେଣୀ ପିଲାଙ୍କୁ ମାଗଣା ସାଇକେଲ ମିଳିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ୟୁନିଫର୍ମ ପାଇଁ ୧୯୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଥିପାଇଁ ୧ ହଜାର ୧୮୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । କୃଷିଭିତ୍ତିକ ଜ୍ଞାନ କୌଶଳ, IT, ITES ଓ ସେମିକଣ୍ଡକ୍ଟର ପ୍ରୟୋଗ ଉପରେ ତାଲିମ ଦିଆଯିବ । ନୂଆ ଓଡ଼ିଶା ଯୋଜନା ପାଇଁ ୧୩୫ କୋଟି, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି, ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି, ଅଟଳ ବସଷ୍ଟାଣ୍ଡ ପାଇଁ ୧ ହଜାର ୨୬୬ କୋଟି, ସମୃଦ୍ଧ ସହର ପାଇଁ ୪୦୮ କୋଟି, ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।