ବୋଲ ମାନିଲାନି ବରଯାତ୍ରୀ ବସ୍, ଦୋକାନରେ ପଶିଗଲା


ବାଲେଶ୍ବର: ବରଯାତ୍ରୀ ବସ୍ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ । ରାସ୍ତା ଛାଡ଼ି ଦୋକାନ ଭିତରେ ପଶିଗଲା । ୧୦ରୁ ଅଧିକ ବରଯାତ୍ରୀ ଆହତ । ଘଟଣା ବାଲେଶ୍ବର ଜିଲ୍ଲା ଔପଦା ପାଣିସାଉଁଲି ଛକ ନିକଟରେ ଘଟିଛି ।

ଅଭିଯୋଗ ଅନୁସାରେ, ବସଟି ବରଯାତ୍ରୀଙ୍କ ନେଇ ଯାଉଥିଲା । ହେଲେ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ହେଲା କାଳ । ଭାରସାମ୍ୟ ହରାଇ ପାଣିସାଉଁଲି ଛକ ରାସ୍ତା କଡ଼ରେ ଥିବା ଏକ ଦୋକାନ ଭିତରେ ବସଟି ପଶି ଯାଇଥିଲା ।

ଦୁର୍ଘଟଣା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଶବ୍ଦ ଶୁଣି ଆଖପାଖ ଲୋକେ ଧାଇଁ ଆସି ବରଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଖଇରା, ସୋର ଓ ଔପଦା ମେଡିକାଲକୁ ପଠାଇଥିଲେ । ତେବେ ଦୁର୍ଘଟଣାରେ କେହି ମୃତ୍ୟୁବରଣ କରି ନଥିବା ଜଣାପଡିଛି । ଦୁର୍ଘଟଣା ପରେ ଡ୍ରାଇଭର ବସ୍ ଛାଡ଼ି ଫେରାର ହୋଇଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଦୋକାନୀଙ୍କୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।