ଅସ୍ତରଙ୍ଗ,,:-ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ମଧୁପୁର ମୌଜାର ପ୍ରଦେଶ ବେହେରାଙ୍କ ଘରୁ ସାମୁଦ୍ରିକ ପୁଲିସ୍ ଦ୍ୱାରା ୪୦ ବସ୍ତା ନଟ୍ ଫର୍ ସେଲ୍ ସିମେଣ୍ଟ ଜବତ ହୋଇଛି|ଜବତ ସିମେଣ୍ଟକୁ ନେଇ ପୁଲିସ୍ ତନାଘନା କଲେ ମଧ୍ୟ ଘର ମାଲିକ ସନ୍ତୋଷଜନକ ଉତ୍ତର ରଖିପାରିନାହାନ୍ତି | ଯାହାକୁ ନେଇ ଅଡୁଆ ବଢ଼ୁଥିଲା ବେଳେ ସରକାରୀ କାମରେ ବ୍ୟବହାର ପାଇଁ ଆସୁଥିବା ସିମେଣ୍ଟ ଘରୋଇ କାର୍ଯ୍ୟରେ କେମିତି ବ୍ୟବହାର ହେଲା ବୋଲି ସମସ୍ତେ ପ୍ରଶ୍ନ କରିଛନ୍ତି | ଘରୋଇ କାମ ପାଇଁ କିଏ ବିକ୍ରି କରିଛି କି କଣ ତାହାର ଉତ୍ତର ମିଳିପାରୁନି | ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଭିତିକରି ପୁଲିସ୍ ତଦନ୍ତ ଜାରିରଖିଛି | ସୂଚନାନୁସାରେ ମଧୁପୁର ମୌଜାର ପ୍ରଦେଶ ବେହେରାଙ୍କ ଘର କାମ ଚାଲିଥିଲା ବେଳେ ଏଠି ନଟ୍ ଫର୍ ସେଲ୍ ସିମେଣ୍ଟରେ କାମ ହେଉଥିବା ଦୁଇଦିନ ତଳୁ ସାଧାରଣରେ ଅଭିଯୋଗ ହେଉଥିଲା | ଆଜି ସ୍ଥାନୀୟ ଅଞ୍ଚଳରୁ ସନାତନ ବେହେରା ଓ କାର୍ତ୍ତିକ ବେହେରା ନାମକ ଦୁଇଜଣ ବ୍ୟକ୍ତି ଲିଖିତ ଭାବେ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ |ଅଭିଯୋଗକୁ ଭିତିକରି ଥାନା ଅଧିକାରୀ ଅଚ୍ୟୁତ ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଅଭିଯୋଗ ଥିବା ସ୍ଥାନରେ ଚଢ଼ାଉ କରିଥିଲା | ନଟ୍ ଫର୍ ସେଲ୍ ସିମେଣ୍ଟ ୪୦ ବସ୍ତା ମହଜୁଦ୍ ଥିବା ପ୍ରମାଣ ମିଳିବା ପରେ ତାକୁ ଜବତ କରାଯାଇଥିଲା |ସ୍ଥାନୀୟ ଗ୍ରାମବାସୀଙ୍କୁ ସାକ୍ଷୀ ରଖି ଏହି ସିମେଣ୍ଟକୁ ପୁଲିସ୍ ନିଜ ହେପାଜତକୁ ନେଇଛି |ଏପଟେ ସିମେଣ୍ଟ ମହଜୁଦ୍ ରଖିଥିବା ଘର ମାଲିକକୁ ପୁଲିସ୍ ପଚରାଉଚରା କରି ସିମେଣ୍ଟ କିଣିବାର କାଗଜପତ୍ର ମାଗିଛି । ଖବର ଲେଖା ପର୍ଯ୍ୟନ୍ତ ପୁଲିସ୍ ପକ୍ଷରୁ କୌଣସି ମାମଲା ହୋଇନଥିବା ଓ ତଦନ୍ତ ଜାରିରହିବା ସାମୁଦ୍ରିକ ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି |
ସାମୁଦ୍ରିକ ପୋଲିସ ଦ୍ବାରା ମଧୁପୁର ରୁ ନଟ ଫର ସେଲ ସିମେଣ୍ଟ ଜବତ ।
