ମଦ ନିଶାରେ କନିଆ ବଦଳରେ ତା’ ସାଙ୍ଗକୁ ମାଳ ପିନ୍ଧାଇ ଦେଲା ବର


ବରେଲି: ଉତ୍ତର ପ୍ରଦେଶ ବରେଲିରେ ଘଟିଛି ଅଜବ ଘଟଣା । ବାହା ହେବାକୁ ଆସିଥିବା ମଦୁଆ ବରକୁ ହେବାକୁ ପଡିଛି ହଟହଟା । କନିଆ ବଦଳରେ କନିଆର ସାଙ୍ଗ ବେକରେ ବରଣ ମାଳା ପକାଇ ଦେଲା । ଫଳରେ ପ୍ରକୃତ କନିଆ ବିବାହ କରିବାକୁ ମନା କରିଦେବାରୁ ବାହାଘର ଭାଙ୍ଗି ଯାଇଛି । ଏଭଳି ଘଟଣା ବରେଲି ଜିଲ୍ଲା ନବାବଗଞ୍ଜ ତହସିଲ କ୍ୟୋଲଡିଆ ଗାଁରେ ଘଟିଛି ।

ଶନିବାର ସନ୍ଧ୍ୟାରେ ବରଖେଡାରୁ ନବାବଗଞ୍ଜ ତହସିଲ କ୍ୟୋଲଡିଆ ଗାଁକୁ ଏକ ବିବାହ ଶୋଭାଯାତ୍ରା ଆସିଥିଲା । ସବୁକିଛି ଠିକ୍‌ ଠାକ୍‌ ଚାଲିଥିଲା । ବିବାହ ପ୍ରୋସେସନ୍‌ ବି ଆସିଥିଲା । ଏହି ସମୟରେ, ବର ରବୀନ୍ଦ୍ର କୁମାରଙ୍କ ସାଙ୍ଗମାନେ ତାକୁ ପ୍ରଚୁର ମଦ୍ୟପାନ କରାଇ ଦେଇଥିଲେ । ବର ବି ମଦ ପିଇ ନିଶାରେ ଚୁର୍ ହୋଇଥିଲା ।

ମଧ୍ୟରାତ୍ରିରେ ବରଣମାଳା ଆଦାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା । କନ୍ୟା ବରର ବେକରେ ବରଣମାଳା ପିନ୍ଧାଇଲେ । ଯେତେବେଳେ ବରର ପାଳି ଆସିଲା, ମଦ୍ୟପ ବର କ’ଣ କରିବ ବୁଝିପାରିଲା ନାହିଁ । ମଞ୍ଚ ଉପରେ କନ୍ୟା ସହ ଥିବା ତା’ର ସାଙ୍ଗ ବେକରେ ବରଣମାଳ ପିନ୍ଧାଇ ଦେଲା ।

ଏଥିରେ ରାଗିଯାଇ କନ୍ୟା ବରକୁ ଏକ ଶକ୍ତ ଚାପୁଡ଼ା ମାରିବା ସହ ଏପରି ମଦୁଆ ବ୍ୟକ୍ତିକୁ ବାହା ହେବାକୁ ରୋକ୍‌ ଠୋକ୍ ମନା କରି ମଞ୍ଚ ଛାଡ଼ି ପଳାଇଥିଲା । ଏହାପରେ ଆରମ୍ଭ ହୋଇଗଲା ହଙ୍ଗାମା । ଉଭୟ ପକ୍ଷ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । କଥା ଏତେ ବଢିଗଲା ଯେ ରବିବାର ଦିନ ଏହି ମାମଲା ପୋଲିସ ପାଖରେ ପହଞ୍ଚିଲା । ଶାନ୍ତି ରକ୍ଷା ପାଇଁ ପୋଲିସ ବରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବରକୁ ମଦ ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଶେଷରେ ମଦ ପାଇଁ ବିବାହ ବାତିଲ୍ ହୋଇଯାଇଛି ।