ପୁରୀ: ଆଜିଠୁ ପୁରୀରେ ଆରମ୍ଭ ହେବ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଜାତୀୟ ସମ୍ମିଳନୀ । ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଥିପାଇଁ ସେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ପୁରୀରେ ଦୁଇ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଜନସ୍ବାସ୍ଥ୍ୟ ସେବାରେ ଅନୁକରଣୀୟ ବ୍ୟବସ୍ଥା ଓ ନୂଆ ଉଦ୍ଭାବନ ସମ୍ପର୍କରେ ଆଲୋଚନା ହେବ ।
ଦେଶର ଜନସ୍ବାସ୍ଥ୍ୟ କ୍ଷେତ୍ରରେ କ’ଣ ନୂଆ ଗବେଷଣା ହେଉଛି ଓ ଏହାକୁ କିପରି ସୁବିନିଯୋଗ କରାଯିବ ତାହା ଉପରେ ବିଶେଷ ଆଲୋଚନା କରାଯିବ । ସେହିପରି ଜନସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ସମୀକ୍ଷା ବି ହେବ । ଏହି କାର୍ଯ୍ୟକ୍ରମରେ ନଡ୍ଡାଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପସ୍ଥିତ ରହିବେ ।
ଆଜି ହୋଇପାରେ ଓଡ଼ିଶା ବିଜେପି ମୁଖିଆଙ୍କ ନାଁ ଘୋଷଣା
ଅନ୍ୟପଟେ ଆଜି ରାଜ୍ୟ ବିଜେପି ସଭାପତି ଘୋଷଣା ଅଙ୍କ ମଧ୍ୟ ଛିଣ୍ଡିପାରେ ବୋଲି ଚର୍ଚ୍ଚା ହେଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ପୁରୀରୁ ଭୁବନେଶ୍ବର ଫେରି ରାଜ୍ୟ ଅତିଥି ଭବନରେ ଅଢେଇ ଘଣ୍ଟା କଟାଇବେ । ଏଠାରେ ସେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । କୁହାଯାଉଛି, ଏହି ସମୟରେ ରାଜ୍ୟ ସଭାପତି ଚୟନ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।
କୁହାଯାଉଛି ୨୪ ନିର୍ବାଚନରେ ବିଜେପିକୁ ସରକାରକୁ ଆଣିବାରେ ପ୍ରମୁଖ ଭୂମିକା ଥିବା ମନମୋହନ ସାମଲଙ୍କୁ ଦଳ ରିପିଟ୍ କରିପାରେ । କେନ୍ଦ୍ରୀୟ ନେତୃତ୍ବ ନିକଟରେ ବିଜେଡି ସହ ମେଣ୍ଟ ନକରିବା ପାଇଁ ଦୃଢ଼ ଯୁକ୍ତି ରଖିବା ହେଉ କି ପ୍ରାର୍ଥୀ ଚୟନ ଓ ପ୍ରଚାର ପରିଚାଳନାରେ ବି ମୁଖ୍ୟ ଭୂମିକା ନେଇଥିଲେ ମନମୋହନ । ତେଣୁ କେନ୍ଦ୍ରୀୟ ନେତୃତ୍ୱଙ୍କ ଗୁଡ୍ ବୁକ୍ରେ ମନମୋହନ ଥିବା ବେଳେ ତାଙ୍କୁ ଦଳ ପୁରସ୍କୃତ କରିପାରେ ।