ଆଜି ବିଶ୍ବ ଦହିବରା ଦିବସ: ଆପଣ ଖାଇଲେଣି ନା ନାହିଁ କଟକ ଦହିବାରା


କଟକ: ଆଜି ବିଶ୍ବ ଦହିବାରା ଦିବସ । ଆଉ ଏହି ଦହିବରା ଆମକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ପ୍ରତି ଓଡ଼ିଆଙ୍କ ପ୍ରିୟ ଦହିବରା । ଆଉ ଆଜିର ଦିନରେ ଏହାକୁ ଖାଇ, ଆମ ପାରମ୍ପରିକ ଖାଦ୍ୟର ବିଶ୍ବ ଦିବସ ପାଳନ କରିବାର ମଜା ଅଲଗା । ବିଶେଷ କରି କଟକ ଦହିବରା କଥା ନକହିବା ଭଲ । ନାଁ ଯେମିତି, ସ୍ବାଦ ବି ସେମିତି । ଆଜି ବିଶ୍ବ ଦହିବରା ଦିବସ ପାଇଁ କଟକରେ ଦେଖିବାକୁ ମିଳିଛି ଉତ୍ସାହ ।

ଆଜି ମାର୍ଚ୍ଚ ୧ ତାରିଖ ବିଶ୍ୱ ଦହିବରା ଆଳୁଦମ ଦିବସରେ ଆସନ୍ତୁ ଖାଇବା ଦହିଭିଜା ଦହିବରା, ଆଳୁ କଷା ସାଙ୍ଗକୁ ଗରମ ଗରମ ଘୁଘୁନି । କଟକର ପ୍ରତି ଗଳି କନ୍ଦିରେ ଆପଣ ଦହିବରା ପାଇପାରିବେ । ସକାଳଠାରୁ ଆରମ୍ଭ ହୋଇ ସନ୍ଧ୍ୟା ଯାଏଁ ଆପଣଙ୍କୁ ଏଠି ଦହିବରା ମିଳିବ । କହିବାକୁ ଗଲେ କଟକିଆଙ୍କ ଦିନ ଆରମ୍ଭ ହୁଏ ଦହିବରାରେ ଆଉ ଶେଷ ବି ହୁଏ ଦହିବରାରେ ।

ସେଥିପାଇଁ ତ ସବୁ କଟକିଆ ସକାଳୁ ଉଠି ଚାଲି ଆସନ୍ତି ବୋଷ କଲେଜ ପାଖ ରଙ୍କ ଦହିବରା ଖାଇବାକୁ । ନହେଲେ ସନ୍ଧ୍ୟା ହେଲେ ସୁଲୁସୁଲିଆ ପବନ ଖାଇ କେତେବେଳେ କୃଷକ ବଜାରର ବାବୁଲା ଦହିବରା ଆଡେ ମାଡି ଯାଆନ୍ତି ତ ଆଉ କେତେବେଳେ ବିଡାନାସିର ରଘୁ ଦହିବରା ନହେଲେ କେତେବେଳେ କନିକା ଛକର ତ୍ରିନାଥ ଦହିବରା । ଏଠି ଦଶହରା ହେଉ କି ବାଲିଯାତ୍ରା କଟକିଆ ଦହିବରା ଖାଇବାକୁ ଭୁଲନ୍ତି ନାହିଁ । କେବଳ ପର୍ବ ନୁହେଁ ସକାଳ ଜଳଖିଆ, ସନ୍ଧ୍ୟା ଜଳିଖିଆରେ ବି ଦହିବରା କଟକିଆଙ୍କ ମୁଖ୍ୟ ଖାଦ୍ୟ । ପେଟେ ଖାଇଦେଲେ ଦିନ ଯାକ ଭାତ ବି ଖାଇବାକୁ ଇଚ୍ଛା ହୁଏନି ।

କଟକର ଗଳି କନ୍ଦିରୁ ବାହାରି ସାରା ବିଶ୍ୱସ୍ତରରେ ପ୍ରତିଟି ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ । ବିଦେଶରେ ରହିଲେ ବି ଓଡିଆ ଲୋକ ଦହିବରା ଆଳୁଦମର ସ୍ୱାଦକୁ କେବେ ଭୁଲି ନାହାନ୍ତି । କଟକର ଦହିବରା ଆଳୁଦମ ବିଶ୍ୱ ପ୍ରସିଦ୍ଧ । ଦହିବରା ଆଳୁଦମ କହିଲେ, କଟକ ଆଉ କଟକ କହିଲେ ଦହିବରା ଆଳୁଦମକୁ ବୁଝାଏ । ସୁସ୍ବାଦୁ ଦହିବରା ଆଳୁଦମ ବିକ୍ରିରେ କଟକ କେଉଁ କାଳରୁ ପ୍ରସିଦ୍ଧି ଲାଭ କରିଛି ।

ସତୁରି ଅଶୀ ଦଶକରେ ବିଡ଼ାନାସୀ ଅଞ୍ଚଳର କିଛି ବେପାରୀ ସାଇକେଲରେ ଦହିବରା ହାଣ୍ଡି ଧରି ଏଠାରେ ବ୍ୟବସାୟ କରୁଥିଲେ । ସେଥିମଧ୍ୟରୁ ରଘୁ ଦହିବରାର ବହୁତ ଚାହିଦା ଥିଲା । ୧୯୯୦ ମସିହା ପରଠାରୁ ଏଠାରେ ଠେଲାଗାଡ଼ିରେ ଦହିବରା ବିକ୍ରି ଆରମ୍ଭ ହୋଇଥିଲା । କଟକ ସହରକୁ ଦେଶ ଆଉ ରାଜ୍ୟ ବାହାରୁ ଆସୁଥିବା ବହୁ ଲୋକ ପ୍ରତ୍ୟେକ ଦିନ କଟକି ଦହିବରାର ସ୍ୱାଦ ଚାଖିବାକୁ ଭୁଲନ୍ତି ନାହିଁ ।