ନବ ଦାସ ହତ୍ୟା ମାମଲା: ବିଜେପି ନେତାଙ୍କ ବଡ଼ ଦାବି, ସିବିଆଇ ତଦନ୍ତ ହେଲେ ଫସିବେ ନବୀନଙ୍କ ଲେଫ୍ଟ ଓ ରାଇଟ୍ ହ୍ୟାଣ୍ଡ ନେତା


ଭୁବନେଶ୍ବର: ଦୀପାଳି ଦାସ ସିବିଆଇ ତଦନ୍ତ ଦାବି କରିବା ଓ କ୍ରାଇମବ୍ରଞ୍ଚ ତାଙ୍କୁ ଓ ତାଙ୍କ ଭାଇ ବିଶାଳଙ୍କୁ ହାଜର ହେବାକୁ ନୋଟିସ୍ କରିବା ପରେ ଓଡ଼ିଶାରେ ପୁଣି ରାଜନୈତିକ ଝଡ଼ ସୃଷ୍ଟି କରିଛି ନବ ଦାସଙ୍କ ହତ୍ୟା ମାମଲା । ଆଉ ଏହାରି ଭିତରେ ଜଣେ ବିଜେପି ନେତା ଦେଇଛନ୍ତି ବିସ୍ଫୋରକ ବୟାନ । ସେ କାହାର ନାଁ ନେଇ ନଥିଲେ ବି କହିଛନ୍ତି, ଯଦି ନବ ଦାସ ହତ୍ୟା ମାମଲା ସିବିଆଇ ହାତକୁ ଗଲା ତେବେ ବିଜେଡିର ଦୁଇ ଜଣ ନେତା ଫସିବେ । ଆଉ ତାଙ୍କ ଇଙ୍ଗିତ ଏକଦା ନବୀନଙ୍କୁ ପଛ କରି ବିଜେଡିର ମଉଡମଣି ସାଜିଥିବା ଭି.କେ. ପାଣ୍ଡିଆନ ଏବଂ ତାଙ୍କ ଚେଲ୍ଲା ତଥା ବିଜେଡିର ପୂର୍ବତନ ସାଙ୍ଗଠନକି ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଆଡ଼କୁ ରହିଛି । ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ଏପରି aନ୍ତ୍ରବ୍ୟ ଦେବା ସହ କହିଛନ୍ତି, ବିଜେଡି ଚାପରେ ଦୀପାଳି ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଜଣାଉନାହାନ୍ତି । ମୁଖ୍ୟମନ୍ତ୍ରୀ ହେବା ମୋହରେ ପୋଲିସ ଲଗାଇ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଆଉ ଏହି ହତ୍ୟା ପଛରେ ରହିଛି ଜଣେ ଆଇଏଏସ୍ ଓ ବିଜେଡିର ବଡ଼ ନେତାଙ୍କ ହାତ ।

ପ୍ରଦୀପ କହିଛନ୍ତି, ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣେଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଫସିଯିବେ । ସେମାନେ ଜେଲ୍‌କୁ ଯିବେ । ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି । ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଦେବା ଲାଗି ମନା କରିଛି ବିଜେଡି । ଏହାସହ ସେ ଅଭିଯୋଗ କରି କହିଛନ୍ତି, ଶନି ମନ୍ଦିରରୁ ଆସିବା ପରେ କାଳେ ନବ ଦାସ ମୁଖ୍ୟମନ୍ତ୍ରୀ ହୋଇଯିବେ ସେଥିପାଇଁ ସେମାନେ ତାଙ୍କୁ ରାସ୍ତାରୁ ହଟେଇ ଦେଲେ । ଗୋପାଳ ଦାସ ଜରିଆରେ ଯେଉଁମାନେ ମାରିଲେ, ସେମାନଙ୍କ ବିଷୟରେ ରାଜ୍ୟବାସୀ ଜାଣିବାର ଅଧିକାର ଅଛି । ଯଦି ସିବିଆଇ ତଦନ୍ତ ହେବ ତା’ହେଲେ ଏହାର ପର୍ଦ୍ଦାଫାସ ହେବ । ଏହାସହ ସିବିଆଇ ତଦନ୍ତ ହେଉ ବୋଲି ମଧ୍ୟ ପ୍ରଦୀପ ଦାବି କରିଛନ୍ତି ।

ସେପଟେ ବିଜେଡି କହିଛି, କ୍ରାଇମବ୍ରାଞ୍ଚ ତଦନ୍ତ ଠିକ୍‌ ହୋଇଥିଲା । ଦୀପାଳି ସିବିଆଇ ତଦନ୍ତ ପାଇଁ କହିଛନ୍ତି । ବିଜେପି ନେତା ମଧ୍ୟ କହୁଛନ୍ତି । ସରକାର ତାଙ୍କର, ବିଜେପି CBI ତଦନ୍ତ ପାଇଁ ପଛ ଘୁଞ୍ଚା କାହିଁକି ଦେଉଛି ? ମୁଖ୍ୟମନ୍ତ୍ରୀ ହେବା ପାଇଁ ଯଦି ନବ ଦାସଙ୍କୁ ହତ୍ୟା କରାଯାଇଛି ବୋଲି କହୁଛନ୍ତି, ସେମାନେ କିଏ ସାମ୍ନାକୁ ଆଣନ୍ତୁ । ସେମାନେ ସରକାରରେ ଅଛନ୍ତି, ତଦନ୍ତ କରନ୍ତୁ କରାନ୍ତୁ । ଅନ୍ୟପଟେ, ପ୍ରଦୀପଙ୍କ ଅଭିଯୋଗ ନେଇ ଦୀପାଳିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଏପଟେ କ୍ରାଇମବ୍ରାଞ୍ଚ ନୋଟିସ୍ ପରେ ଦୀପାଳି ଓ ତାଙ୍କ ଭାଇ ବିଶାଳଙ୍କ ନିରବତାଙ୍କୁ ନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ସିବିଆଇ ତଦନ୍ତ ଦାବି କରି କାହିଁକି ଚୁପ୍ ବସିଛନ୍ତି ଦୀପାଳି ? ଲିଖିତ ଭାବେ କାହିଁକି ସରକାରକୁ ଜଣାଉ ନାହାନ୍ତି ? ଏମିତି କି ସିବିଆଇ ତଦନ୍ତ ନେଇ ପରିବାର ସହ ଆଲୋଚନା କରି ସାରିଥିବା ମଧ୍ୟ କହିଥିଲେ ଦୀପାଳି । ରାଜନୈତିକ ବୟାନବାଜି ଭିତରେ ଦୀପାଳି ଓ ବିଶାଳ କ୍ରାଇମବ୍ରାଞ୍ଚରେ ହାଜର ହୋଇ କ’ଣ ପକ୍ଷ ରଖିବେ ଏବେ ସାରା ରାଜ୍ୟ ଜାଣିବାକୁ ଅନାଇ ବସିଛି । ଯଦିଓ କ୍ରାଇମବ୍ରାଞ୍ଚ ତଦନ୍ତ ଓପନ ରହିଛି, କିନ୍ତୁ ଏହାକୁ କ୍ଲୋଜର ନୋଟିସ୍ ବୋଲି କୁହାଯାଉଛି । କିନ୍ତୁ ଦୀପାଳି ହାଜର ହୋଇ ଆପତ୍ତି, ଅସନ୍ତୋଷ ଜଣାଇବେ କି ନାହିଁ ତାହା ଦେଖିବାକୁ ବାକି ରହିଲା ।