କିଟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: ସରଜମିନ ଦନ୍ତ ନିର୍ଦ୍ଦେଶ ଦେଲେ ଜାତୀୟ ମାନବାଧିକାର କମିଶନ


ଭୁବନେଶ୍ବର: ବଢ଼ିଲା କିଟ ଅଡୁଆ । ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାର ସରଜମିନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଜାତୀୟ ମାନବାଧିକାର କମିଶନ NHRC । NHRCଙ୍କ ଇନଭେଷ୍ଟିଗେସନ ଡିଭିଜନ୍ ଓ ଲ’ ଡିଭିଜନର ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରିବ । ତଦନ୍ତ ପରେ ଆସନ୍ତା ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।

ଏହାସହ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆଇନ ବିଭାଗର ରେଜିଷ୍ଟ୍ରାର ଏହି ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବେ । NHRCର ଇନଭେଷ୍ଟିଗେସନ ଡିଭିଜନର ଦୁଇ ଜଣ ଅଧିକାରୀଙ୍କୁ ନେଇ ଏହି ଟିମ୍ ଗଠନ ହେବ । ଯେଉଁଥିରେ ଜଣେ ଏସଏସପି ରାଙ୍କର ଅଧିକାରୀ ରହିବେ ।

କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ଏହି ବିଶ୍ୱବିଦ୍ୟାଳୟ ବିରୋଧରେ ଏକାଧିକ ଅଭିଯୋଗ ମାନବାଧିକାର କମିଶନରେ ହୋଇଥିଲା । କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ଯେ, କିଟ୍ ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ରୀ ତାଙ୍କ ପୂର୍ବତନ ପୁରୁଷ ବନ୍ଧୁ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ । ତାଙ୍କ ଅଭିଯୋଗକୁ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ସମ୍ପର୍କ ଅଫିସର (ଆଇଆରଓ) ଅଣଦେଖା କରିଥିଲେ । ଫଳରେ ନେପାଳୀ ଛାତ୍ରୀ ଜଣକ ନିଜର ଜୀବନ ହାରିଥିଲେ । ଘଟଣାକୁ ନେଇ ନ୍ୟାୟ ଦାବି କରୁଥିବା ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କୁ କିଟ୍ ଅଧିକାରୀ ଓ ସୁରକ୍ଷାକର୍ମୀ ଗାଳିଗୁଳଜ କରିବା, ଧମକ ଦେବା ସହ ମାଡ ମାରିଥିଲେ ।

ସେହିଭଳି କିଟ୍ ଓ କିସ୍ ବିରୋଧରେ ଆଦିବାସୀ ପିଲାଙ୍କୁ ଶୋଷଣ, ମାନବାଧିକାର ଉଲ୍ଲଂଘନ, ବେଆଇନ ଜମି ଅଧିଗ୍ରହଣ କରିବା, କିସ୍ ହଷ୍ଟେଲରେ ଆବଶ୍ୟକତାଠାରୁ ଅଧିକ ଅନ୍ତେବାସୀ ରଖିବା, ମୌଳିକ ସୁବିଧା ନ ରହିବା ଆଦି ଅଭିଯୋଗ ହୋଇଛି । ନିର୍ଯାତନା ଅଭିଯୋଗର ସମାଧାନରେ ବିଫଳ ହେବା ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶୋଷଣରେ ସମ୍ପୃକ୍ତ ନେଇ ଅଭିଯୋଗ ଆସିବା ପେରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ସଂସ୍ଥାର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଥିଲା ।

ଏହା ପୂର୍ବରୁ କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାକୁ ଗୁରୁତ୍ୱର ସହ ନେବା ସହ ରିପୋର୍ଟ ତଲବ କରିଥିଲା UGC । ଛାତ୍ରୀଙ୍କ ମୃତ୍ୟୁ ଓ ପରବର୍ତ୍ତୀ ଘଟଣା କେମିତି ଘଟିଲା ? ଫେବ୍ରୁଆରୀ ୧୬-୧୭ ରାତିରେ କିଟରେ କ’ଣ ଘଟିଥିଲା ? କ୍ୟାମ୍ପସରେ ବିକ୍ଷୋଭ, ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଓ ମାଡ ମରାଯାଇ ବାହାର କରାଯିବା ଘଟଣାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲା । ଏ ସଂପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଅନ୍ୟପକ୍ଷରେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ ପାଇଁ ଦାବି କରିଥିଲା ସୂଚନା ଅଧିକାର ଅଭିଯାନ ବା OSAA। । କିଟ୍ କାହିଁକି ସୂଚନା ଅଧିକାର ଆଇନ ପରିସର ହୋଇନି ବୋଲି ପ୍ରଶ୍ନ ହୋଇଥିଲା ? ଏଥିସହ ପୂର୍ବତନ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କୁ ବି କାଠଗଡ଼ାକୁ ଟାଣିଥିଲା ?