ପିଓକେ ଫେରିଲେ କାଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ ହେବ: ଜୟଶଙ୍କର


ଲଣ୍ଡନ: ଲଣ୍ଡନରୁ କାଶ୍ମୀରକୁ ନେଇ ବିଦେଶରେ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ । କହିଲେ, ପିଓକେ ଫେରିଲେ କାଶ୍ମୀର ସମସ୍ୟାର ହେବ ସ୍ଥାୟୀ ସମାଧାନ । ଲଣ୍ଡନର ସ୍ୱାଧୀନ ନୀତି ପ୍ରତିଷ୍ଠାନ ଚାଥାମ ହାଉସରେ ଏକ କାର୍ଯ୍ୟକ୍ରମରେ ସାମିଲ ସମୟରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।

ସେ କହିଛନ୍ତି, ପଡ଼ୋଶୀ ଦେଶ ପାକିସ୍ତାନ ପାକ୍ ଅଧିକୃତ କାଶ୍ମୀର ଖାଲି କରିଲେ ହିଁ ଏହାର ସ୍ଥାୟୀ ସମାଧାନ ହେବ । କେନ୍ଦ୍ର ସରକାର କାଶ୍ମୀରରେ ଅଧିକାଂଶ ସମସ୍ୟାର ସମାଧାନ କରିବାରେ ସଫଳ ହୋଇଛନ୍ତି । ପ୍ରଥମ ପଦକ୍ଷେପ ସ୍ବରୁପ ୩୭୦ ଧାରା ଉଚ୍ଛେଦ କରିବା ସହ କାଶ୍ମୀର ବିକାଶ ପାଇଁ ବାଟ ଫିଟାଇଥିଲେ । ତାପରେ, କାଶ୍ମୀରରେ ବିକାଶ, ଆର୍ଥିକ କାର୍ୟ୍ୟକଳାପ ଏବଂ ସାମାଜିକ ନ୍ୟାୟ ପୁନଃସ୍ଥାପନ କରିବା ଦ୍ୱିତୀୟ ପଦକ୍ଷେପ ଥିଲା । ତୃତୀୟ ପଦକ୍ଷେପ ସ୍ବରୁପ କାଶ୍ମୀରରେ ନିର୍ବାଚନ କରାଯାଇଥିଲା । ଯେଉଁଥିରେ ଭୋଟ ହାର ବହୁତ ଅଧିକ ରହିଥିଲା । ଏବେ କାଶ୍ମୀରର ସେହି ଅଂଶର ଫେରିବା ଦରକାର, ଯାହା ଅବୈଧ ଭାବେ ପାକିସ୍ତାନର ଦଖଲରେ ଅଛି । ଏହା ଫେରିଲେ ଯାଇ କାଶ୍ମୀର ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇପାରିବ ।

ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସମ୍ପର୍କକୁ କାଶ୍ମୀର ସମସ୍ୟାର ସମାଧାନ ପାଇଁ ବ୍ୟବହାର କରିପାରିବେ କି ବୋଲି ପ୍ରଶ୍ନରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।