ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା କଡ଼ ଲେଉଟାଇବା ପରେ ପ୍ରତିଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ନବଙ୍କ ପତ୍ନୀ ମୀନତି ଦାସ, ଝିଅ ଦୀପାଳିଏବଂ ପୁଅ ବିଶାଳ ମୁଖ୍ୟମନ୍ତ୍ରୀ ମେହାନ ଚରଣ ମାଝୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନବଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଓ ପରିବାରକୁ ସୁରକ୍ଷା ଦାବି କରିଛନ୍ତି । ଏହାପରେ ପ୍ରକୃତ ଦୋଷୀଙ୍କୁ ଧରାଯାଇ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ ବୋଲି ଭରସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୋହନ କହିଛନ୍ତି, ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ । ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ । ଆଇନର ମର୍ଯ୍ୟାଦା ମଧ୍ୟରେ ଦୋଷୀ ବିରୋଓରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି । ଏହାସହ ମୀନତିଙ୍କୁ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଯେ କୌଣସି ସମୟରେ ତାଙ୍କୁ ବ୍ୟକ୍ତିଗତ ଭାବେ ଏ ସମ୍ପର୍କରେ ଅବଗତ କରାଇପାରିବେ । ସେ ନିଜେ ଓ ତାଙ୍କ ସରକାର ନ୍ୟାୟ ସପକ୍ଷରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ନବଙ୍କ ପରିବାର । ବାପା ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ସଠିକ୍ ଭାବେ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଶ୍ବାସନା ଦେଇଥିବା କହିଛନ୍ତି ଦୀପାଳି । ଏହାସହ ପରିବାରକୁ ସୁରକ୍ଷା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପହଞ୍ଚିଥିଲେ ନବ ଦାସଙ୍କ ପରିବାର । ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଘଣ୍ଟା ଧରି ଆଲୋଚନା କରିଥିଲେ ।