ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ବୁଧବାର ଦିନ ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହାର ମୁକାବିଲା କରିବା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜିବ୍ ହାଁସ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ଡିପିଓ ବିଶ୍ବନାଥ ନାଏକ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଅଂଶୁଘାତ ରୋକିବା ପାଇଁ କ’ଣ କରିବା କଥା ତା’ଉପରେ ବକ୍ତବ୍ୟ ରଖିଥିଲେ । ଦିନ ୧୧ଟାରୁ ୩ଟା ମଧ୍ୟରେ ଶ୍ରମିକମାନଙ୍କୁ ପ୍ରଚଣ୍ଡ ଖରାରେ କାମ କରିବା ପାଇଁ ବାରଣ କରାଯିବାକୁ ଗୁରୁତ୍ଵ ଦେଇଥିଲେ। ଯାତ୍ରୀ ପରିବହନ ପାଇଁ ସମୟ ନିର୍ଦ୍ଧାରଣ ସମ୍ପର୍କରେ ମଧ୍ୟ ଏହି ଶିବିରରେ ଆଲୋଚନା ହୋଇଥିଲା । ଅନ୍ୟତମ ଟ୍ରେନର ଭାବରେ ଡାକ୍ତର ପ୍ରଣବ କୁମାର ମହାପାତ୍ର ଅଂଶୁଘାତକୁ ଏଡେଇବା ପାଇଁ ଏବଂ ଆଗକୁ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଓ ତତ୍ଜନିତ ଅଂଶୁଘାତର ମୁକାବିଲା ପାଇଁ ଆଜି ଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ I ଏଥି ସହିତ ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ , ଯାତ୍ରୀବାହୀ ବସ ଆଦି ସବୁଠି ପିଇବା ପାଣି ଏବଂ ଓଆରଏସ ପ୍ୟାକେଟ ମହଜୁଦ ରଖିବାକୁ ପରାମର୍ଶ ଦେଇଥିଲେ । ପ୍ରମୁଖ ସ୍ଥାନ ମାନଙ୍କରେ ଜଳଛତ୍ର ସହ ସମସ୍ତ ସ୍ୱାସ୍ଥ୍ୟସେବା କେନ୍ଦ୍ର ଗୁଡ଼ିକରେ ଅଂଶୁଘାତ ପୀଡ଼ିତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ବୋଲି ମଧ୍ୟ ଶିବିରରେ ଆଲୋଚନା ହୋଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ,ଆଶା କର୍ମୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ସାମିଲ୍ ହୋଇଥିଲେ ।
ଗ୍ରୀଷ୍ମ ପ୍ରବାହ ର ମୁକାବିଲା ପାଇଁ ବୀରମହାରାଜପୁର ବ୍ଲକ ସଭା ଗୃହରେ ସଚେତନତା କାର୍ଯ୍ୟକ୍ରମ
