ପୁଣେ: ମହାରାଷ୍ଟ୍ରର ପୁଣେରେ ଥିବା ହିଞ୍ଜେୱାଡିରେ ଟେମ୍ପୋ ଟ୍ରାଭେଲର ଗାଡ଼ିରେ ନିଆଁ ଲାଗି ଯିବାରୁ ଗ୍ରାଫିକ୍ସ କମ୍ପାନୀର ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟି ଘଟଣାରେ ବଡ଼ ଖୋଲାସା । ଏହା ଦୁର୍ଘଟଣା ନୁହେଁ, ବରଂ ପ୍ରି-ପ୍ଲାନିଂ ହତ୍ୟା ବୋଲି ପୋଳିସ ଜାଣିବାକୁ ପାଇଛି । ଏହାସହ ଘଟଣାର ମାଷ୍ଟର ମାଇଣ୍ଡ ଗାଡି ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି ।
ଗାଡ଼ିରେ ନିଆଁ ଲାଗି ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟଣାକୁ ପୋଲିସ ପ୍ରଥମେ ଦୁର୍ଘଟଣା ଭାବୁଥିଲା । ହେଲେ କର୍ମଚାରୀଙ୍କ ସହ ବିବାଦ ଓ ଦରମା ବୃଦ୍ଧି ନହେବା ଯୋଗୁଁ ଟ୍ରାଭେଲର ଡ୍ରାଇଭର ରାଗି ଯାଇ ଏହି କାର୍ଯ୍ୟ କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଡ୍ରାଇଭର ଜଣକ ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଡ୍ରାଇଭରର ନାମ ଜନାର୍ଦ୍ଦନ ହମ୍ବାର୍ଡିକର । ସେ ପୁଣେର କୋଥରୁଡରେ ରହୁଥିଲା । ଅଭିଯୁକ୍ତ ଜଣକ ହିଞ୍ଜେୱାଡିରେ ଅବସ୍ଥିତ ଏକ ଗ୍ରାଫିକ୍ କମ୍ପାନୀର ଟେମ୍ପୋ ଟ୍ରାଭେଲରର ଡ୍ରାଇଭର ଭାବେ କରୁଥିଲା । ବୁଧବାର ସକାଳ ୮ଟାରେ ହିଞ୍ଜେୱାଡିର ୱିପ୍ରୋ ସର୍କଲ ଫେଜ୍ ୱାନ୍ ଅଞ୍ଚଳରେ ଏକ ଟେମ୍ପୋ ଟ୍ରାଭେଲର୍ରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଯୋଗୁଁ ଗାଡ଼ି ଭିତରେ ଥିବା ଚାରି ଜଣ କର୍ମଚାରୀ ପୋଡ଼ି ହୋଇ ମୃତ୍ୟୁବରଣ କରିଥିଲେ । ଏହାସହ ଚାରି ଜଣ କର୍ମଚାରୀ ଗାଡ଼ିରୁ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ । ଏହି ଘଟଣା ପରେ ପୋଲିସ ଅନୁମାନ କରିଥିଲା ଯେ, ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥାଇପାରେ । ହେଲେ ଏବେ ତଦନ୍ତରୁ ଜଣାପଡିଛି ଯେ, ଡ୍ରାଇଭର ଜନାର୍ଦ୍ଦନ କମ୍ପାନୀ ସହିତ ପୁରୁଣା ଶତ୍ରୁତା ଏବଂ ଅସନ୍ତୋଷ ଯୋଗୁଁ ଏହି ଅପରାଧ କରିଥିଲା । କମ୍ପାନୀର କର୍ମଚାରୀଙ୍କ ସହ ଝଗଡ଼ା ଓ ଦରମା କାଟି ଦିଆଯିବାରୁ ଜନାର୍ଦ୍ଦନ ଏଭଳି କରିଥିବା ଜଣାଯାଇଛି ।