ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ସିବିଆଇ ଟିମ୍ । ବଘେଲଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । ମହାଦେବ ବେଟିଂ ଆପ ମାମଲାରେ ଆଜି ସକାଳୁ ସକାଳୁ ଏହି ଚଢ଼ାଉ କରାଯାଇଛି । ମାମଲାରେ ହଜାର ହଜାର କୋଟି ଟଙ୍କାର ଠକେଇ ହୋଇଥିଲା । ବଘେଲଙ୍କ ଭିଲାଇ ଓ ରାୟପୁର ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି । ପୂର୍ବରୁ ଇଡି ଟିମ ପକ୍ଷରୁ ବଘେଲଙ୍କ ଘରେ ରେଡ୍ କରାଯାଇଥିବା ବେଳେ ଏବେ ସିବିଆଇ ଏଣ୍ଟ୍ରି ମାରିଛି ।
ଭୂପେଶ ବଘେଲଙ୍କ କାର୍ଯ୍ୟାଳୟ ତରଫରୁ ସୋସିଆଲ ମିଡ଼ିଆରେ କୁହାଯାଇଛି, ’ଏବେ ସିବିଆଇ ଆସିଛି । ଆଗାମୀ ଏପ୍ରିଲ ୮ ଓ ୯ରେ ଅହମ୍ମଦାବାଦରେ ହେବାକୁ ଥିବା ଏଆଇସିସି ବୈଠକ ପାଇଁ ଗଠିତ ’ଡ୍ରାଫ୍ଟିଂ କମିଟି’ର ମିଟିଂ ପାଇଁ ଆଜି ବଘେଲ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ତା’ ପୂର୍ବରୁ ସିବିଆଇ ରାୟପୁର ଓ ଭିଲାଇ ବାସଭବନରେ ପହଞ୍ଚିଛି ।
ସୂଚନାଯୋଗ୍ୟ, ମହାଦେବା ବେଟିଂ ଆପ ଅନଲାଇନ୍ ବେଟିଂ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ଆପରେ ୟୁଜର୍ସ ପୋକର, କାଡ ଗେମ୍ସ, ଚାନ୍ସ ଗେମ୍ସ ନାମରେ ଲାଇଭ୍ ଗେମ ଖେଳାଯାଉଥିଲା । ଆପ ମାଧ୍ୟମରେ କ୍ରିକେଟ, ଟେନିସ, ଫୁଟବଲ ପରି ଖେଳ ଓ ନିର୍ବାଚନରେ ଅବୈଧ ବେଟିଂ ମଧ୍ୟ କରାଯାଉଥିଲା ।