ଭୁବନେଶ୍ବର: ବିଧାନସଭାରେ କଂଗ୍ରେସର ସମସ୍ତ ୧୪ ବିଧାୟକ ନିଲମ୍ବିତ । ଗତକାଲି ୧୨ ଜଣ ବିଧାୟକ ନିଲମ୍ବିତ ହୋଇଥିବା ବେଳେ ଆଜି ତାରା ପ୍ରସାଦ ବାହିନୀପତି ଏବଂ ରମେଶ ଜେନାଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି । ନିଲମ୍ବନକୁ ନେଇ ବାଚସ୍ପତି କହିଛନ୍ତି, ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ବାଚସ୍ପତିଙ୍କ ଆସନକୁ ଏହି ଦୁଇ ବିଧାୟକ ଅବମାନନା କରୁଛନ୍ତି ।
ଗତକାଲି କଂଗ୍ରେସର ୧୨ଜଣ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିଥିଲେ । କେବଳ ତାରା ଏବଂ ରମେଶଙ୍କୁ ଛାଡି ଅନ୍ୟ ସମସ୍ତ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିଲେ । ଯାହାପରେ ବିଧାନସଭା ଭିତରେ ଏବଂ ବାହାରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । କଂଗ୍ରେସର ସମସ୍ତ ବିଧାୟକଙ୍କ ସହିତ ତମାମ ନେତୃବୃନ୍ଦ ରାତିସାରା ଲୋୟର ପିଏମଜିରେ ଆନ୍ଦୋଳନ କରିବା ସହିତ, ରାସ୍ତା ଉପରେ ଶୋଇଥିଲେ । ଏହାପରେ ବିଧାନସଭା ବାହାରିଥିଲେ କଂଗ୍ରେସ ବିଧାୟକ । ଘଣ୍ଟ ବଜେଇ କଂଗ୍ରେସ ବିଧାୟକ, କର୍ମୀ ବିଧାନସଭା ଯିବା ବାଟରେ ତାଙ୍କୁ ଅଟକାଇଥିଲେ ପୋଲିସ୍ । ଏହାପରେ କଂଗ୍ରେସ୍ କର୍ମୀ ଓ ପୋଲିସ୍ ଭିତରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା ।
ବିଧାନସଭା ବାହାରେ କଂଗ୍ରେସ କର୍ମୀ ପୋଲିସ୍ ସହ ଯୁକ୍ତିତର୍କ କରୁଥିବାବେଳେ, ତାଙ୍କୁ ମିଳିଥିଲା ବିଜେଡି ବିଧାୟକଙ୍କ ସାଥ୍ । ବିଜେଡି ବିଧାୟକମାନେ ବାହାରକୁ ଆସି ବିଧାନସଭା ଗେଟ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଆଉ ଏହାପରେ କଂଗ୍ରେସ କର୍ମୀଙ୍କୁ ଟେକି ନେଇଥିଲା ପୋଲିସ୍ । ହେଲେ ଏ ସବୁ ଭିତରେ କିନ୍ତୁ କଂଗ୍ରେସର ବାକି ଦୁଇ ବିଧାୟକଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି ।