ମେ’ ପହିଲାରୁ ମହଙ୍ଗା ହେବ ATMରୁ ଟଙ୍କା ଉଠାଣ


ଭୁବନେଶ୍ବର: ଏଟିଏମରୁ ଟଙ୍କା ଉଠାଇବା ହେବ ମହଙ୍ଗା । ଫ୍ରି ଲିମିଟ ପରେ ପ୍ରତି ଟ୍ରାଞ୍ଜାକ୍ସନ ଉପରେ ଦେବାକୁ ପଡ଼ିବ ୧୯ ଟଙ୍କା । ମେ’ ମାସରୁ ଲାଗୁ ହେବାକୁ ଯାଉଛି ନିୟମ । ଅନ୍ୟ ବ୍ୟାଙ୍କରୁ ଉଠାଣ ପାଇଁ ଥିବା ଫ୍ରି ଲିମିଟ୍ ପରେ ପ୍ରତି ଆର୍ଥିକ କାରବାରରେ ଅତିରିକ୍ତ ୨ ଟଙ୍କାକୁ ମିଶାଇ ୧୯ ଟଙ୍କା ଗଣିବେ ଗ୍ରାହକ । ସେହିପରି ଏଟିଏମରେ ବାଲାନ୍ସ ଚେକ୍ ପାଇଁ ଏଣିକି ୬ ଟଙ୍କା ବଦଳରେ କଟିବ ୭ ଟଙ୍କା । ଏନପିସିଆଇ ସୁପାରିଶ କ୍ରମେ ଏଟିଏମ ଇଣ୍ଟରଚେଞ୍ଜ ଫି’ ବୃଦ୍ଧିକୁ ଆଣବିଆଇ ଅନୁମୋଦନ ପରେ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।

ଯଦି ବାରମ୍ବାର ଏଟିଏମରୁ ଟଙ୍କା ଉଠାଉଛନ୍ତି, ତେବେ ସଜାଗ ହୋଇଯାଆନ୍ତୁ । ନହେଲେ ମେ’ ପହିଲାରୁ ଏଥିପାଇଁ ଗଣିବାକୁ ପଡ଼ିପାରେ ଅଧିକ ଅର୍ଥ । ମେ’ ୧ରୁ ନିଜ ଆକାଉଣ୍ଟ ଥିବା ବ୍ୟାଙ୍କର ଏଟିଏମ ବ୍ୟତୀତ ଅନ୍ୟ ବ୍ୟାଙ୍କର ଏଟିଏମରୁ ମାସକୁ ୫ ଥର ଫ୍ରି ଉଠାଣ ସୀମା ବାଦ୍ ପ୍ରତିଥର ଟଙ୍କା ଉଠାଣ ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ୧୯ ଟଙ୍କା । ପୂର୍ବରୁ ଏହା ୧୭ ଟଙ୍କା ରହିଥିଲା । ସେହିପରି ଏଟିଏମ ଜରିଆରେ ବାଲାନ୍ସ ଚେକ୍ ବା ମିନି ଷ୍ଟେଟମେଣ୍ଟ ଭଳି ଅଣନଗଦ କାରବାର ପାଇଁ ପୂର୍ବରୁ ୬ ଟଙ୍କା କଟୁଥିବା ବେଳେ ଏଣିକି ୭ ଟଙ୍କା ଦେବାକୁ ପଡ଼ିବ ।

ପୂର୍ବତନ ଆରବିଆଇ ଅଧିକାରୀଙ୍କ ମତରେ, ୨୦୨୧ ଜୁନ୍ ପରଠାରୁ ଏଟିଏମ ଇଣ୍ଟରଚେଞ୍ଜ ଫି’ ବଢ଼ିନି । ଏପଟେ ଏଟିଏମ ସେବା ଯୋଗାଣ ସହ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ଢେର୍ ବଢ଼ିଛି । ଏଣୁ ଏଟିଏମ୍ ଇଣ୍ଟରଚେଞ୍ଜ ଫି’ ବୃଦ୍ଧି ଲାଗି ବ୍ୟାଙ୍କଗୁଡ଼ିକ ଦାବି କରିଆସୁଥିଲେ । ସେମାନଙ୍କ ଦାବିକୁ ଗ୍ରହଣ କରି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ବା ଏନପିସିଆଇ, ଏଟିଏମ୍ ଇଣ୍ଟରଚେଞ୍ଜ ଫି’ ବଢ଼ାଇବାକୁ ଆରବିଆଇକୁ ସୁପାରିଶ କରିଥିଲା, ଯାହାକୁ କେନ୍ଦ୍ରୀୟ ବ୍ୟାଙ୍କ ଅନୁମୋଦନ କରିଛି । ଏବେ ଗ୍ରାହକମାନେ ପ୍ରତିମାସରେ ନିଜ ବ୍ୟାଙ୍କ ଏଟିଏମରେ ୫ ଥର ଓ ଅନ୍ୟ ବ୍ୟାଙ୍କ ଏଟିଏମରେ ୫ ଥର, ଅର୍ଥାତ୍ ମୋଟ ୧୦ ଥର ମାଗଣାରେ ଆର୍ଥିକ କାରବାର କରିପାରୁଛନ୍ତି । ଏହାପରେ ସେମାନଙ୍କୁ ପ୍ରତି କାରବାର ପାଇଁ ଗଣିବାକୁ ପଡ଼ୁଛି ଅତିରିକ୍ତ ଦେୟ । ଏଭଳି କ୍ଷେତ୍ରରେ ଏଟିଏମ୍ ଇଣ୍ଟରଚେଞ୍ଜ ଫି’ରେ ବୃଦ୍ଧି ଗ୍ରାହକଙ୍କୁ କ୍ୟାସଲେସ୍ ଟ୍ରାଞ୍ଜାକ୍ସନ ଆଡ଼କୁ ଆକୃଷ୍ଟ କରିପାରେ ବୋଲି ମତ ଦେଲେଣି ବ୍ୟାଙ୍କର ।