ନୂଆଦିଲ୍ଲୀ: ଭାରତ ଆସିବେ ରଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ । ଶୀଘ୍ର ପୁଟିନ ଭାରତ ଆସୁଥିବା ସୂଚନା ମିଳୁଛି । ୨୦୨୨ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ପୁଟିନ ଭାରତ ଗସ୍ତରେ ଆସୁଛନ୍ତି । ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏନେଇ ସୁଚନା ଦେଇଛନ୍ତି । ଏଥିପାଇଁ ଦୁଇ ଦେଶ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ଗ୍ରହଣ କରି ପୁଟିନ୍ ଭାରତ ଆସିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ଋଷ ଗସ୍ତ ଯାଇଥିଲେ । ଏବେ ଆମର ପାଳି ବୋଲି କହିଛନ୍ତି ଋଷର ବୈଦେଶିକ ମନ୍ତ୍ରୀ ।
ଦୁଇ ଦେଶ ମଧ୍ୟରେ ଦିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ବଡ଼ ଚୁକ୍ତି ସ୍ବାକ୍ଷର ହୋଇପାରେ ବୋଲି କୁହାଯାଉଛି । ତେବେ କେବେ ପୁଟିନ ଭାରତ ଆସିବେ ସେନେଇ ନିର୍ଦ୍ଧାରିତ ତାରିଖ ସମ୍ପର୍କରେ କିଛି ସୂଚନା ଦେଇ ନାହାନ୍ତି ସର୍ଗେଇ । ପୁଟିନ ଗସ୍ତରେ ଆସି ମୋଦୀଙ୍କ ସହ ସାମରିକ, ଶକ୍ତି, ବାଣିଜ୍ୟ କ୍ଷେତ୍ରରେ ଦ୍ବିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦେଶ ମଧ୍ୟରେ ୨୦୩୦କୁ ଦୃଷ୍ଟିରେ ରଖି ନୂଆ ଅର୍ଥନୈତିକ ରୋଡମ୍ୟାପ ପ୍ରସ୍ତୁତ ହେବ ବୋଲି କୁହାଯାଇଛି । ଯାହାଦ୍ବାରା ଋଷ-ଭାରତ ମଧ୍ୟରେ ବାଣିଜ୍ୟ କାରବାର ଦୁଇ ଗୁଣା ବୃଦ୍ଧି ହେବା ସହ ୧୦୦ ବିଲିୟନ ଡଲାର ଅର୍ଥାତ୍ ୯ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଉଛି ।
ପୂର୍ବରୁ ୨୦୨୧ ଡିସେମ୍ବର ୬ ତାରିଖରେ ପୁଟିନ୍ ଭାରତ ଗସ୍ତରେ ମାତ୍ର ୪ ଘଣ୍ଟା ପାଇଁ ଆସିଥିଲେ । ଏହି ସମୟରେ ଭାରତ ଓ ଋଷ୍ ମଧ୍ୟରେ ୨୮ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ୨୦୨୫ ସୁଦ୍ଧା ଦୁଇ ଦେଶ ବାର୍ଷିକ ୫୦ ବିଲିୟନ ଡଲାର ବାଣିଜ୍ୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ।