ଭୁବନେଶ୍ବର: ମିଆଁମାର ଓ ଥାଇଲ୍ୟାଣ୍ଡରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ନେଲାଣି ହଜାରେରୁ ଅଧିକ ଜୀବନ । ୭.୭ ଓ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି । ମିଆଁମାରରେ ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି ।
ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ଏହା ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ଭାରତର ମେଘାଳୟ, ମଣିପୁର, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ବାଂଲାଦେଶ, ଭିଏତ୍ନାମ ଏବଂ ଚୀନ୍ର ଦକ୍ଷିଣ ପଶ୍ଚିମ ୟୁନାନ୍ ପ୍ରଦେଶରେ ମଧ୍ୟ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି ।
ମିଆଁମାର ଓ ଥାଇଲ୍ୟାଣ୍ଡରେ ଭୂକମ୍ପଜନିତ ନିଖୋଜଙ୍କ ସଂଖ୍ୟା ୨ ଶହ ଅତିକ୍ରମ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । କେନ୍ଦ୍ରୀୟ ମିଆଁମାରର ମାଣ୍ଡଲେ ନିକଟରେ ଶୁକ୍ରବାର ସ୍ଥାନୀୟ ସମୟ ମଧ୍ୟାହ୍ନ ପ୍ରାୟ ୧୨.୫୦ରେ ପ୍ରଥମ ଭୂକମ୍ପ ଆସିଥିଲା ଏବଂ ଏହାର ତୀବ୍ରତା ୭.୭ ରହିଥିଲା । ଏହାର ୧୧ ମିନିଟ୍ ପରେ ଆସିଥିବା ଦ୍ବିତୀୟ କମ୍ପନର ତୀବ୍ରତା ୬.୪ ରହିଥିଲା ।
ଏହାର କେନ୍ଦ୍ରସ୍ଥଳ ସଗାଇଙ୍ଗ ସହରର ୧୬ କିମି ଦକ୍ଷିଣ ପଶ୍ଚିମରେ ୧୦ରୁ ୩୦ କିମି ଗଭୀରତାରେ ଥିଲା ବୋଲି ଜଣାପଡ଼ିଛି । ଭୂକମ୍ପର ଭୀଷଣ ଝଟକାରେ ଥାଇଲ୍ୟାଣ୍ଡରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି । ବ୍ୟାଙ୍କକରେ ଏକ ୩୦ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ି ୩ ଜଣଙ୍କର ମୃତ୍ୟୁ ଘଟିଛି । ୮୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଜଣାପଡ଼ିଛି ।
ମିଆଁମାରରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରାଯାଇଥିବା ବେଳେ ଥାଇଲ୍ୟାଣ୍ଡର ବ୍ୟାଙ୍କକକୁ ଇମର୍ଜେନ୍ସି ଜୋନ୍ ଘୋଷଣା କରାଯାଇଛି । ଉଭୟ ରାଷ୍ଟ୍ରରେ ଉଦ୍ଧାର ଅଭିଯାନ ଜୋରଦାର କରାଯାଇଛି ।