ନୂଆଦିଲ୍ଲୀ: ଦୀର୍ଘ ୯ ମାସ ପରେ ମହାକାଶରୁ ଫେରିବା ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସୁନୀତା ୱିଲିୟମ୍ସ ଏବଂ ଓ ବୁଚ୍ ଓ୍ଲିଲମୋର । ମିଡିଆ ଆଗରେ ମହାକାଶରେ ଦୀର୍ଘ ଦିନ ରହିବାର ଅନୁଭୂତି ବଖାଣିବା ସହ ଭାରତକୁ ନେଇ ଯାହା କହିଛନ୍ତି ଶୁଣିଲେ ଆପଣ ବି ଭାରତୀୟ ବୋଲି ଗର୍ବ ଅନୁଭବ କରିବେ । ଏହାସହ ମହାକାଶରେ ରହିବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖା ଦେଇଥିବା ସ୍ବୀକାର କରିଛନ୍ତି ସୁନୀତା ।
ଭାରତକୁ ନେଇ ସୁନିତା କହିଛନ୍ତି, ଏହା ଏକ ସୁନ୍ଦର ରାଷ୍ଟ୍ର । ମହାକାଶରେ ଥିବାବେଳେ ଯେତେବେଳେ ବି ସେ ଭାରତ ଉପରେ ଦେଇ ଯାଉଥିଲେ, ସେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲେ । ହିମାଳୟ ପାଦଦେଶ, ଜମ୍ମୁକାଶ୍ମୀରରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଆଦି ଅନେକ ସ୍ଥାନର ଫଟୋ ସେ ମହାକାଶରୁ ଉଠାଇଛନ୍ତି । ଆଗକୁ ସମୟ ଆସିଲେ ଭାରତ ଆସିବେ । ଇସ୍ରୋ ସହ ମିଶି କାମ କରିବାର ସୁଯୋଗ ମିଳିଲେ ନିଶ୍ଚିତ ଭାବେ କାମ କରିବେ ବୋଲି କହିଛନ୍ତି ସୁନୀତା ।