ବିଦେଶରେ ଥାଇ ପ୍ୟାରୀଙ୍କ ମିଡ ନାଇଟ୍ ଅପରେସନକୁ ଭଣ୍ଡୁର କରିଥିବା ନବୀନ ଏବେ ଅସହାୟ !


ଭୁବନେଶ୍ବର: ଓ୍ବାକଫ ବିଲକୁ ସମର୍ଥନ ନେଇ ବିଜେଡ଼ି ଦୁଇଫାଳ । ବରିଷ୍ଠ ହୁଅନ୍ତୁ ବା ଯୁବ, କାହି ମାନୁନାହାନ୍ତି ଦଳୀୟ ନୀତି ଆଦର୍ଶ । ମେଳି କରୁଛନ୍ତି, ସୋସିଆଲ ମିଡ଼ିଆରେ ପରସ୍ପରର ଗୋହି ଖୋଳୁଛନ୍ତି । ସବୁ ଦେଖୁଛନ୍ତି ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ହେଲେ, ବିଶୃଙ୍ଖଳାରେ ଲଗାମ ଲଗାଇବାକୁ ଯେମିତି ଯୋଟାଇ ପାରୁ ନାହାନ୍ତି ସାହସ । କିଏ ଯେମିତି ତାଙ୍କୁ ମୋହରା ବନାଇ ନଚାଉଛି । ପାଓ୍ବାର କରିଡ଼ରରେ ଏବେ ଗୋଟିଏ ଚର୍ଚ୍ଚା, ଏକଦା ବିଜେଡର ଚାଣକ୍ୟ କୁହାଯାଉଥିବା ପ୍ୟାରୀଙ୍କ ମିଡ ନାଇଟ ଅପରେସନକୁ ବିଦେଶରେ ବସି ଭଣ୍ଡୁର କରି ଦେଇଥିବା ନବୀନ ଏବେ ଏତେ ଅସହାୟ କାହିଁକି ? କାହାକୁ ଡରୁଛନ୍ତି ? କ’ଣ ରହୁଛି ବାଧ୍ୟବାଧ୍ୟକତା ? ନବୀନଙ୍କ ନିୟନ୍ତ୍ରଣରେ ନାହିଁ କି ବିଜେଡି ? ୨୦୧୨ରେ ବିଦେଶରେ ବସି ମେ’ ୨୯ ଷଡ଼ଯନ୍ତ୍ରକୁ ବିଫଳ କରିଥିବା ନବୀନ ଏବେ କାହିଁକି ନିରୁପାୟ ? ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଯାଇ ହରଡ଼ଘଣାରେ ପଡିଛନ୍ତି କି ନବୀନ ?

ପ୍ୟାରୀଙ୍କ ମେଳିକୁ ଦମନ କରିଥିବା ନବୀନ ଏବେ ପାଣ୍ଡିଆନ ବିରୋଧୀ ମେଳିକୁ ନେଇ ହଟହଟା ହେଉଛନ୍ତି । ୱକଫ୍ ବିଲକୁ ନେଇ ବିଜେଡିରେ ଚାଲିଥିବା ହାଇଡ୍ରାମା, ନବୀନଙ୍କୁ ଏକ ପ୍ରକାର ନିଷ୍କ୍ରିୟ କରିଦେଇଛି କି ? ଯେଉଁଥିପାଇଁ ଦୀର୍ଘ ଦଶନ୍ଧି ପରେ ଦଳରେ ଖୋଲାଖୋଲି ଚାଲେଞ୍ଜର ସାମ୍ନା କରୁଛନ୍ତି ବିଜେଡି ସୁପ୍ରିମୋ । ୱକଫ୍ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ଓ ପାଣ୍ଡିଆନଙ୍କ ସନ୍ଦେହଜନକ ଭୂମିକା ପଦାକୁ ଆସିବା ପରେ ଚରମସୀମାରେ ପହଞ୍ଚିଛି ବିଜେଡି କନ୍ଦଳ । ଦୁଇ ଭାଗ ହୋଇଯାଇଛି ଦଳ । ବସୁଛି ମେଳି ପରେ ମେଳି । ହେଲେ ନବୀନ ନା ଏହି ମେଳିକୁ ବନ୍ଦ କରିପାରୁଛନ୍ତି, ନା କାର୍ଯ୍ୟାନୁଷ୍ଠାନ ନେଇ ପାରୁଛନ୍ତି । ୭ ଦିନ ହେବ ବିଜେଡିରେ ଲାଗିଥିବା ନିଆଁ ଲିଭିବାର ନାଁ ନେଉ ନଥିବା ବେଳେ କାର୍ଯ୍ୟାନୁଷ୍ଠାନ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଲେଣି ନିଜ ଦଳର ନେତା ।

ବରିଷ୍ଠ ନେତା ଭୂପିନ୍ଦର ସିଂ କହିଛନ୍ତି, କେହି ବାହାର ଲୋକ ଦଳର ନେତୃତ୍ୱ ନେଇପାରିବେ ନାହିଁ, ନବୀନ ହିଁ ଏକ ମାତ୍ର ନେତା । ତେବେ ଏ କ୍ଷେତ୍ରରେ କାହିଁକି ନିଷ୍ପତ୍ତି ନେଇ ପାରୁନାହାନ୍ତି ନବୀନ ? କ’ଣ ରହୁଛି ବାଧ୍ୟବାଧ୍ୟକତା ? କାର୍ଯ୍ୟାନୁଷ୍ଠାନ ତ ଦୂର କଥା କାହିଁକି ସୋ କଜ୍ ବି ମାଗି ପାରୁ ନାହାନ୍ତି କାହିଁକି ?

କୁହାଯାଉଛି ଗୋଟିଏ ପଟେ ପାଣ୍ଡିଆନ ବିରୋଧୀ ଗୋଷ୍ଠୀର ଶକ୍ତି ବୃଦ୍ଧି ହେଉଛି । ଏମିତି ଦଳର ବରିଷ୍ଠଙ୍କ ସହ ଯୁବ ଗୋଷ୍ଠୀ ମଧ୍ୟ ଏହି ବିରୋଧୀ କ୍ୟାମ୍ପରେ ଯୋଡି ହେଲେଣି । ଯାହାଦ୍ୱାରା ଏହି ଗୋଷ୍ଠୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି ନବୀନ । ସବୁଠୁ ବଡ଼ ପ୍ରଶ୍ନ ହେଲା, ପାଣ୍ଡିଆନଙ୍କ ବିରୋଧରେ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ସତ୍ତ୍ୱେ କାହିଁକି ଦଳଠାରୁ ପାଣ୍ଡିଆନଙ୍କୁ ଦୂରରେ ରଖି ପାରୁନାହାନ୍ତି ନବୀନ ତାହା ବି ପ୍ରଶ୍ନ ହୋଇ ଛିଡ଼ା ହୋଇଛି ।

କୁହାଯାଉଛି ପୂର୍ବରୁ ବିଜେଡିର ସର୍ବେସର୍ବା ସାଜିଥିବା ପାଣ୍ଡିଆନଙ୍କ ପାଖରେ ରହିଛି ବିଜେଡି ଫଣ୍ଡ୍ । ଆଉ କିଛି ନେତା ମଧ୍ୟ ପାଣ୍ଡିଆନଙ୍କ ସପକ୍ଷରେ ରହିଛନ୍ତି । ଏହାସହ କ୍ରାଇସିସ ମ୍ୟାନେଜର ଭାବେ ନବୀନ ଦଳର ଅନ୍ୟ କେଉଁ ନେତାଙ୍କୁ ଭରସା କରି ପାରୁନାହାନ୍ତି । ଯାହା ନବୀନଙ୍କ ପାଇଁ ସବୁଠୁ ବଡ଼ ବାଧ୍ୟବାଧ୍ୟକତା ସାଜିଛି ।