Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନଲାଇନ୍ ଗେମ୍‌ରୁ ଠକେଇ କରି ଜଣେ ଗିରଫ, ଆପ୍ ଲକ୍ କରି ଗେମ୍ ଖେଳିଲେ ପାଉଥିଲେ କମିଶନ

ସିଏସ୍ସି ସେଣ୍ଟରରୁ କୋଟିପତି। ୟୁଟ୍ୟୁବ୍ରୁ ଭିଡିଓ ଦେଖି ଅନ୍ଲାଇନ୍ ଗେମିଂ ଆପ୍ କରିବା ଶିଖିଥିଲା। ଏହା ସାହାଯ୍ୟରେ ଲୋକଙ୍କଠାରୁ ଟଙ୍କା ଲୁଟିବା ଆରମ୍ଭ କରିଥିଲା। ଠକେଇର ଶିକାର ହୋଇଥିବା କିଛି ଲୋକ ସାଇବର ଥାନାରେ ଅଭିଯୋଗ କରିବା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା। ପରେ ବଲାଙ୍ଗୀର ସାଇବର ଥାନା ପୁଲିସ ସଂପୃକ୍ତ କୋଟିପତି ଅଭିଯୁକ୍ତକୁ ଗିରଫ କରିଛି।

ଏଥିସହ ତା’ଠାରୁ ବହୁ ଦାମୀ କାର୍ ଆଉ ବାଇକ୍ ସହ ନଗଦ ୭ ଲକ୍ଷ ଟଙ୍କା ଜବତ କରିଥିବା ନେଇ ବଲାଙ୍ଗୀର ଏସ୍ପି ଅଭିଳାଷ ଜୀ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ସଇନ୍ତଳା ଥାନା ପାଇକସମରା ଗାଁର ଲକ୍ଷେଶ୍ୱର ମଲ୍ଲିକ ଓରଫ ଚିନୁ (୨୭) ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଅଭିଯୁକ୍ତ ଲକ୍ଷେଶ୍ୱର ଏକ ୱେବ୍ସାଇଟ୍ ଖୋଲିବା ପରେ ଗେମିଂ ଆପ୍ ଖୋଲି ସେଥିରୁ ସେ କୋଟି କୋଟି ଟଙ୍କା ଲୁଟ୍ କରିଥିଲା। ଆପ୍ରେ ୫୦ଟି ଗେମ୍ ରହିଥିବା ବେଳେ ଲୋକେ ଗେମ୍ ଖେଳି ଠକେଇର ଶିକାର ହେଉଥିଲେ। ଠକେଇର ଶିକାର ହେବା ପରେ କିଛି ଲୋକ ବଲାଙ୍ଗୀର ପୁଲିସର ଦ୍ବାରସ୍ଥ ହୋଇଥିଲେ। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ବଲାଙ୍ଗୀର ସାଇବର ପୁଲିସ ଛାନ୍ଭିନ୍ ଆରମ୍ଭ କରିଥିଲା। ପରେ କୋଟିପତି ଠକ ଲକ୍ଷେଶ୍ବରକୁ ଗିରଫ କରିବା ସହ ତା’ଠାରୁ ମହିନ୍ଦ୍ରା ଥାର୍, ପିକ୍ଅପ୍, ବୁଲେଟ୍, କେଟିଏମ୍ ବାଇକ୍, ସ୍କୁଟି ଜବତ କରିଛି। ଅଭିଯୁକ୍ତର ବ୍ୟାଙ୍କରେ ଥିବା ୨୫ ଲକ୍ଷ ଟଙ୍କା ଫ୍ରିଜ୍ ହୋଇଛି। ନଗଦ ୭ ଲକ୍ଷ ୫ ହଜାର ଟଙ୍କା, ୧୪ଟି ହାଇ ଆଡଭାନ୍ସ ମୋବାଇଲ୍ ଫୋନ୍, ୪ଟି ଲାପ୍ଟପ୍, ୨ଟି ସ୍ୱିପ୍ ମେସିନ୍, ଚେକ୍ ବହି, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ସହ ପାନ୍କାର୍ଡ ଆଦି ଜବତ କରାଯାଇଥିବା ଏସ୍ପି ଅଭିଳାଷ ଜୀ ସୂଚନା ଦେଇଛନ୍ତି। ସେ ନିଜ ଗାଁରେ ସିଏସ୍ସି ସେଣ୍ଟର ଖୋଲିବା ସହ ଅଲିସାନ୍ ବଙ୍ଗଳା ନିର୍ମାଣ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ