Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସପ୍ତାହେ ନିସ୍ତାର ନାହିଁ, ୪୮ଂ ଛୁଇଁପାରେ: ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଆଜିଠୁ ଖରା ଛୁଟି

ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ସବୁଠି ପାରଦ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ। ଗୋଟିଏ ଦୁଇଟି ସ୍ଥାନରେ ତାତି ୪୮ ଡିଗ୍ରି ଛୁଇଁପାରେ। ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ, ନୂଆପଡ଼ା, ବରଗଡ, କଳାହାଣ୍ଡି, ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ପାଗ ରହିବାର ସମ୍ଭାବନା ରହିଛି। ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଜିଲ୍ଲାରେ ଉଷ୍ମ ରାତି ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ/ସନ୍ଧ୍ୟାରେ ୩୦ରୁ ୪୦ କିମି ବେଗରେ ପବନ ସହିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପରିସ୍ଥିତିର ଗମ୍ଭୀରତା ଦେଖି ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ଝାରସୁଗୁଡ଼ାରେ ଏପ୍ରିଲ ମାସର ତାତି ସର୍ବକାଳୀନ ରେକର୍ଡ କରିଛି। ୨୦୧୦ ଏପ୍ରିଲ ୧୯ରେ ସର୍ବକାଳୀନ ରେକର୍ଡ (୪୬.୧ ଡିଗ୍ରି) ରହିଥିଲା। ଆଜି ଏହି ରେକର୍ଡ ଭାଙ୍ଗି ୪୬.୨ ଡିଗ୍ରିରେ ପହଞ୍ଚିଛି। ଆଗାମୀ ତିନି ଦିନ ମଧ୍ୟରେ ତାପମାତ୍ରା ଆହୁରି ବଢ଼ିବ। ୨୫ ତାରିଖରେ ଝାରସୁଗୁଡ଼ା ତାପମାତ୍ରା ୪୮ ଡିଗ୍ରି ମୁହାଁ ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ତାପମାତ୍ରା ୦.୮ ଡିଗ୍ରି ବୃଦ୍ଧିପାଇଛି, ଯାହାକି ସ୍ବାଭାବିକଠାରୁ ୫ ଡିଗ୍ରି ଅଧିକ। ଝାରସୁଗୁଡ଼ା ବ୍ୟତୀତ ହୀରାକୁଦରେ ୪୪.୭, ସମ୍ବଲପୁରରେ ୪୪.୬, ବୌଦ୍ଧରେ ୪୪.୫, ଟିଟିଲାଗଡ଼ରେ ୪୪, ସୁନ୍ଦରଗଡ଼ ଓ ସୋନପୁରରେ ୪୩.୮, ବଲାଙ୍ଗୀରରେ ୪୩.୨, ଭବାନୀପାଟଣା, ବରଗଡ଼ ଓ ରାଉରକେଲାରେ ୪୨.୮, ଅନୁଗୁଳରେ ୪୨.୩, ନୂଆପଡ଼ାରେ ୪୨, ତାଳଚେରରେ ୪୦.୬ ଓ ପାରଳାଖେମୁଣ୍ଡିରେ ୪୦ ଡିଗ୍ରି ରହିଥିଲା।

ଭୁବନେଶ୍ବର: ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା ହୋଇଛି। ଏପ୍ରିଲ ୨୩(ବୁଧବାର)ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଅଙ୍ଗନବାଡି, ଶିଶୁବାଟିକାଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ନାହିଁ। ରାଜ୍ୟରେ ଜାରି ରହିଥିବା ଭୀଷଣ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସମ୍ପର୍କରେ ସମୀକ୍ଷା କରିବା ସହ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ପ୍ରବଳ
ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି। ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ପିଲାଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ଅଙ୍ଗନବାଡ଼ି ପିଲାଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଏପ୍ରିଲ ୨୩ରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ତେବେ ଏହି ସମୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷାଗୁଡ଼ିକ ନିର୍ଦ୍ଦିଷ୍ଟ ତାରିଖରେ ଅନୁଷ୍ଠିତ ହେବ। ସମ୍ପୃକ୍ତ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବେ। ଏଥିସହ ହଷ୍ଟେଲ ପିଲାମାନେ ଚାହିଁଲେ ଏହି ଛୁଟି ସମୟରେ ହଷ୍ଟେଲରେ ରହିପାରିବେ। ଏହି ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଦ୍ୟାଳୟ ଓ ଗଣଶିକ୍ଷା ତଥା ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।