Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚକା ଜୁତା ନାରେ ତୋଫାନ ଶବର ପାଲଟିଲାଣି ସ୍କେଟିଙ୍ଗ ବଏ

ସମ୍ବଲପୁର:ନାମଟି ତୋଫାନ ଶବର l ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବୁରଡ଼ା ପଞ୍ଚାୟତର ବଡ଼ମାଳ ଗ୍ରାମରେ ଘର ତାର l ବୟସ କୋଡିଏ l ସ୍କେଟିଙ୍ଗ ପ୍ରତି ଆଗ୍ରହ ବହୁତ l କିନ୍ତୁ ଯେଉଁ ଖେଳ ପ୍ରତି ତାର ଆଗ୍ରହ ତାର ସେହି ଖେଳର ନାଁ ମଧ୍ୟ ଜାଣିନାହିଁ ସେ l ସ୍କେଟିଙ୍ଗ ବୋଲି ତା ପାଟିରେ ପସେନି।ଖେଳର ନାମ ଚକାଜୁତା ବୋଲି କହେ ସେ l ବାପ ଆଉ ପୁଅ ଦୁଇଜଣ l ମାଆ ତାର ବହୁ ବର୍ଷ ପୂର୍ବେ ଆର ପାରିକୁ ଚାଲି ଯାଇଚି l ଇଟାରେ ତିଆରି ଘର ଉପରେ ଭଙ୍ଗା ଟାଇଲ, କିନ୍ତୁ ଘର ଦୁଆର ରେ ନାହିଁ କବାଟ, ଭଙ୍ଗା କାନ୍ଥ l କେତେବେଳେ ଘର ଭିତରେ ଜୀବଜନ୍ତୁ ମଧ୍ୟ ପସିଯାଆନ୍ତି l ତା ବଦଳରେ ଦୁଆର ମୁହଁ କବାଟରେ କପଡା ଢଙ୍କା ହୋଇଛି l ବାପ ମୂଳ ମଜୁରୀ କରେ ଆଉ ପୁଅ କେନ୍ଦ୍ରାପଡ଼ା ଯାଇ ଧାନ ମିଲ ରେ କାମ କରେ l ପାଠ ପଢିନାହିଁ, ତେଣୁ ଧାନ ମିଲରେ ଧାନ ବସ୍ତା ଟ୍ରକରେ ଲୋଡ ଅନଲୋଡ କରେ ସେ l ଆଜିର ଦୁନିଆରେ ନିଜ ପାଖରେ ମୋବାଇଲ କିଣିବାକୁ ପଇସା ନାହିଁ ତା ପାଖରେ ତେଣୁ ସମୟ ପାଇଲେ ଅନ୍ୟ କାହାର ମୋବାଇଲରେ ୟୁ ଟ୍ୟୁବରେ ଚକାଜୁତା ଦେଖେ ବୋଲି କୁହେ ସେ l ସେଠାରୁ ତାର ଆରମ୍ଭ ହୁଏ ଚକାଜୁତା ଖେଳ ପ୍ରତି ଆଗ୍ରହ l ବହୁ କଷ୍ଟରେ ତାର ଉପାର୍ଜିତ ଅର୍ଥରୁ ପଚିଶ ଶହ ଟଙ୍କାରେ ଚକାଜୁତା କିଣି ଆରମ୍ଭ କଲା ଅଭ୍ୟାସ l ବର୍ତ୍ତମାନ ତାକୁ ଦେଖିଲେ ମଧ୍ୟ ଜାଣିହେବ ନାହିଁ ଯେ ସେ ଏତେ ଅଳ୍ପ ସମୟ ମଧ୍ୟରେ ଏତେ ସୁନ୍ଦର ଭାବରେ ଅଭ୍ୟାସ ଜାରି ରଖିଛି ବୋଲି l ସରକାରୀ ସ୍ତରରେ ଅଞ୍ଚଳର ବିକାଶ କ୍ଷେତ୍ରରେ ଯେମିତି ଭାବରେ ସଚେତନ ଅଛନ୍ତି, ସେହିପରି ଭାବରେ ଗ୍ରାମାଞ୍ଚଳ ମାନଙ୍କରେ ତୋଫାନ ଶବର ଭଳି ଗାଁ ର ଗରିବ ପ୍ରତିଭାମାନଙ୍କ ଉପରେ ଯଦି ସରକାର ନଜର ଦେବେ ତାହେଲେ ଏଇଭଳି ପ୍ରତିଭା ଲୋକଲୋଚନକୁ ଆସିପାରନ୍ତେ ଏବଂ ଗ୍ରାମାଞ୍ଚଳ ମାନଙ୍କରେ ଯୁବ ପ୍ରତିଭା ମାନଙ୍କର ଖେଳ ପ୍ରତି ଆଗ୍ରହ ବଢନ୍ତା ବୋଲି ବୁରଡ଼ା ସରପଞ୍ଚ ରାଜା ପାଳ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ