ଓଡ଼ିଶା ଡଟ୍ ନ୍ୟୁଜ୍: ପଶ୍ଚିମବଙ୍ଗର ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମିନ୍ଦିରକୁ ନେଇ ବିବାଦ ଘନେଇବାରେ ଲାଗିଛି । ଉକ୍ତ ସ୍ଥାନର ନାମ ଜଗନ୍ନାଥ ଧାମ ଦିଆଯିବାକୁ ନେଇ ବିବାଦ ଲାଗି ରହିଛି । ଏହାରି ଭିତରେ ନବକଳେବର ସମୟରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ପରେ ବଳି ଯାଇଥିବା ଦାରୁରୁ ଶ୍ରୀଜିଉଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ନିଆଯାଇଥିବା ବିବାଦ ଏବେ ଖବରର ଶିରୋନାମା ପାଲଟିଛି ।
ଗଣମାଧ୍ୟମରେ ଲଗାତାର ଏ ସଂପର୍କିତ ଖବର ପ୍ରକାଶ ପାଇବା ପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି । ତେଣୁ ଘଟଣାର ସତ୍ୟାସତ୍ୟ ସଂର୍ପକରେ ଜାଣିବା ପାଇଁ ଏକ ଅନ୍ତରୀଣ ତଦନ୍ତ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ପତ୍ର ଲେଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ହରିଚନ୍ଦନ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ ସଂସ୍କୃତିକୁ ନେଇ ଗତ କିଛିଦିନ ହେବ ଗଣମାଧ୍ୟମରେ ଦ୍ବନ୍ଦ୍ବାତ୍ମକ ଖବର ପ୍ରସାରିତ ହେଉଛି । ଦୀଘାଠାରେ ପ୍ରତିଷ୍ଠା ହୋଇଥିବା ମନ୍ଦିର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା ଓ ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବାକୁ ନେଇ ଚର୍ଚ୍ଚା ହେବା ଗ୍ରହଣୀୟ ନୁହେଁ । ଏହା ସାଢ଼େ ୪ କୋଟି ଜନତାଙ୍କ ମନରେ କଷ୍ଟ ଦେଉଥିବା ଅନୁଭବ ହେଉଛି । ତେଣୁ ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାର ବ୍ୟବସ୍ଥା କରାଯାଉ । ଯଦି କେହି ଜ୍ଞାତସାରରେ ଏହି ଘଟଣା ଘଟାଇଛନ୍ତି କିମ୍ବା ଦୋଷୀ ସାବ୍ୟସ୍ତ ହେଉଛନ୍ତି, ତା’ହେଲେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଦଣ୍ଡବିଧାନ ଗ୍ରହଣ କରାଯାଉ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।