ଦୀଘା ଜଗନ୍ନାଥ ମନ୍ଦିର ଦାରୁ ବିବାଦ, ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ


ଓଡ଼ିଶା ଡଟ୍ ନ୍ୟୁଜ୍: ଦୀଘା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ବିଗ୍ରହ ପାଇଁ ନବକଳେବର ସମୟର ବଳକା ଦାରୁ କାଠରୁ ମୂର୍ତ୍ତି ନିର୍ମାଣ ବିବାଦ । ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ । ଆଇନମନ୍ତ୍ରୀଙ୍କ ଚିଠି ପରେ ଆଜି ବସିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ । ଅପରାହ୍ନ ୫ଟାରେ ଏହି ବୈଠକ ବସିବାକୁ ଯାଉଛି ।

ବିଭିନ୍ନ ନିଯୋଗ ସହ ଆଲୋଚନା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗତକାଲି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ ସଂସ୍କୃତିକୁ ନେଇ ଗତ କିଛିଦିନ ହେବ ଗଣମାଧ୍ୟମରେ ଦ୍ବନ୍ଦ୍ବାତ୍ମକ ଖବର ପ୍ରସାରିତ ହେଉଛି ।

ଦୀଘାଠାରେ ପ୍ରତିଷ୍ଠା ହୋଇଥିବା ମନ୍ଦିର ନାମକୁ ଜଗନ୍ନାଥଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା ଓ ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବାକୁ ନେଇ ଚର୍ଚ୍ଚା ହେବା ଗ୍ରହଣୀୟ ନୁହେଁ । ଏହା ସାଢ଼େ ୪କୋଟି ଜନତାଙ୍କ ମନରେ କଷ୍ଟ ଦେଉଥିବା ଅନୁଭବ ହେଉଛି । ତେଣୁ ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାର ବ୍ୟବସ୍ଥା କରାଯାଉ । ଯଦି କେହି ଜ୍ଞାତସାରରେ ଏହି ଘଟଣା ଘଟାଇଛନ୍ତି କିମ୍ବା ଦୋଷୀ ସାବ୍ୟସ୍ତ ହେଉଛନ୍ତି, ତା’ହେଲେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଦଣ୍ଡବିଧାନ ଗ୍ରହଣ କରାଯାଉ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।