Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାରଖାନାର ବିଷାକ୍ତ ପାଉଁଶ:ଲୋକଙ୍କ ପାଇଁ କାଳ,ବିଷ ବଳୟରେ ସମ୍ବଲପୁର, ବରଗଡ଼

ସମ୍ବଲପୁର: ବିଷାକ୍ତ ପାଉଁଶ ବଳୟରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ନିଜର ସତ୍ତା ହରାଇବାକୁ ଯାଉଛି। ଉଭୟ କୃଷି ପ୍ରଧାନ ଜିଲ୍ଲା ଏବେ ବିଷାକ୍ତ ପାଉଁଶ ର ବିଷ ବଳୟରୁ ମୁକୁଳି ପାରୁନାହାନ୍ତି। ପ୍ରଶାସନିକ ଅବହେଳାକୁ ଏଥିପାଇଁ ଦାୟୀ କରାଯାଉଛି।
କାରଖାନାଗୁଡ଼ିକର ମନମୁଖି କାରବାର ସାଙ୍ଗକୁ ପ୍ରଶାସନିକ ଅବହେଳା ଜନତାଙ୍କ ପାଇଁ କାଳ ସାଜିଛି।ଜମି ଜଳ, ଜଙ୍ଗଲ କେବଳ ଏଥିପାଇଁ ପ୍ରଭାବିତ ହେଉନି ବରଂ ଜଳ ଓ ବାୟୁ ମଣ୍ଡଳ ପ୍ରଦୂଷଣ ସହିତ ଜମି ଉର୍ବରତା ହ୍ରାସ ଯୋଗୁଁ ନିରୀହ ଜନତା ଏହାର ଦଶା ଭୋଗୁଛନ୍ତି।ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଥିବା କେତେକ କାରଖାନା ମନଇଚ୍ଛା ଯେଉଁଠି ଚାହିଁଲେ ସେଠାରେ ବିଷାକ୍ତ ପାଉଁଶ ପକାଇ ଦେଉଛନ୍ତି। ଗତ ଏପ୍ରିଲ ୨୦୨୩ ମସିହାରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ୩୧ଟି ସ୍ଥାନରେ ବେଆଇନ ଭାବେ ଶହ ଶହ ଟ୍ରକ୍ ପାଉଁଶ ପକାଯାଇଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ପ୍ରାପ୍ତ ସୂଚନା ଅଧିକାର ସୂଚନାରୁ ଏଭଳି ଜନସ୍ୱାର୍ଥ ବିରୋଧୀ ସମ୍ବଳିତ ସୂଚନା ମିଳିଛି।
ପାଉଁଶ ପକାଇଥିବା କେତେକ କାରଖାନା ବିରୋଧରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଜରିମାନା କଷାଯାଇଛି। ହେଲେ, କୌଣସି କାରଖାନା ଏପର୍ଯ୍ୟନ୍ତ ଟଙ୍କାଟିଏ ମଧ୍ୟ ଦେଇନଥିବା ଜଣାପଡ଼ିଛି।ଜରିମାନା ବିରୋଧ ରେ କାରଖାନା ମାଲିକଙ୍କ ଅଦାଲତ ଯିବା ଏହାର କାରଣ ହୋଇଛି। କିନ୍ତୁ ପ୍ରଦୂଷଣ ବୋର୍ଡ ଏଥିରେ ଚୁପ ରହି କାରଖାନା ମାଲିକଙ୍କ ମନମର୍ଜି କାମକୁ ଏକ ପ୍ରକାର ପ୍ରୋତ୍ସାହିତ କରିବାରେ ନିଜ ଦୁର୍ବଳତା କୁ ଦେଖାଇବା ସହିତ ଦକ୍ଷତା ପ୍ରତିବାଦନ କରି ନିଜର ଭୂମିକା ନିର୍ବାହ କରିବାରେ ଫେଲ ମାରୁଛି।
ସଦ୍ୟ ମିଳିଥିବା ସୂଚନା ଅନୁସାରେ, ବିଗତ ଦୁଇ ଆର୍ଥିକ ବର୍ଷର ଅବଧି ମଧ୍ୟରେ ବରଗଡ଼ ଜିଲ୍ଲାର ବାଲିକୁଲୁଣ୍ଡା, ଦେବାହାଲ ଓ ଚାରପାଲି ନିକଟରେ ବେଆଇନ ଭାବେ କାରଖାନାରୁ ନିର୍ଗତ ବିଷାକ୍ତ ପାଉଁଶ ପକାଯାଇଛି। ସେହିପରି ଏହି ଅବଧି ମଧ୍ୟରେ ସମ୍ବଲପୁର ଜିଲ୍ଲାର ୨୮ଟି ଜାଗାରେ କାରଖାନା ପାଉଁଶ ବେଆଇନ ଭାବେ ପକାଯାଉଛି।ସମ୍ବଲପୁର ମହାନଗର ନିଗମ, ଯୁଯୁମରା, ମାନେଶ୍ବର, ଜମନକିରା ଓ ରେଙ୍ଗାଲି ବ୍ଲକ୍ ଅଞ୍ଚଳ ରେ ଏହି ପାଉଁଶ ପଡ଼ିଛି।ନିର୍ଦ୍ଦିଷ୍ଟ କେତେକ କାରଖାନା ଜାଗା ଅଭାବରୁ ଏହି ପାଉଁଶ ପକାଇଥିବା ତଥ୍ୟ କହୁଛି।ତେବେ, ଜମନକିରା ବ୍ଲକ୍‌ର କୁଲୁଣ୍ଡି ଠାରେ ଏବଂ ରେଙ୍ଗାଲି ବ୍ଳକ୍‌ର ଏକ ସରକାରୀ ଜାଗାରେ କେଉଁ କାରଖାନା ପାଉଁଶ ପକାଇଛି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମ୍ବଲପୁର ଆଂଚଳିକ କାର୍ଯ୍ୟାଳୟ ଏନେଇ କୌଣସି ସୂଚନା ଦେଇନାହିଁ। ବାସ୍ତବରେ ଅନ୍ୟ କେତେକ ଜାଗାରେ ବି ପାଉଁଶ ପଡ଼ିଥିଲେ ହେଁ ଏପର୍ଯ୍ୟନ୍ତ ନିରୀକ୍ଷଣ କରାଯାଇନାହିଁ। ପୁଣି,ପାଉଁଶ ପଡ଼ିଥିବା ୩୧ଟି ଜାଗା ମଧ୍ୟରୁ ଝାରସୁଗୁଡ଼ା ଜିଲ୍ଲାର କେବଳ ଗୋଟିଏ କାରଖାନା କଂପାନି ୧୩ଟି ସ୍ଥାନରେ ଏବଂ ଅନ୍ୟ ଦୁଇଟି କଂପାନି ଆଉ ଗୋଟିଏ ଲେଖାଏଁ ଜାଗାରେ ବିଷାକ୍ତ ପାଉଁଶ ପକାଇଛନ୍ତି। ସମ୍ବଲପୁର ଜିଲ୍ଲାର ଅନ୍ୟ ଏକ କାରଖାନା ୧୦ଟି ଜାଗାରେ ବେଆଇନ ଭାବେ ପାଉଁଶ ପକାଇ ଅଞ୍ଚଳକୁ ପ୍ରଦୂଷିତ କରିଛି।ଜିଲ୍ଲାର ଅନ୍ୟ ଗୋଟିଏ ବଡ଼ କଂପାନି ୪ଟି ଜାଗାରେ ମନଇଚ୍ଛା ଶହ ଶହ ଟ୍ରକ୍ ପାଉଁଶ ପକାଇ ପାଉଁଶ ପାହାଡ଼ ସୃଷ୍ଟି କରି ବାୟୁ ମଣ୍ଡଳ କୁ ବିଷ ବଳୟ ରେ ଛାଡିଦେଇଛି।
ସୂଚନା ଆଇନ ଅଧିକାର ତଥ୍ୟ ଅନୁସାରେ କେତେକ କାରଖାନା ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ନେଇ ଆର୍‌ଟିଆଇ ମାଗିଥିବା ଆଇନଜୀବୀ ସିଦ୍ଧାର୍ଥ ମିଶ୍ର ଅଭିଯୋଗ କରିଛନ୍ତି। ଆଇନଜୀବୀ ଶ୍ରୀ ମିଶ୍ର କହିଛନ୍ତି ଯେ, କାରଖାନାର ପାଉଁଶ ମାଟି, ପାଣି ଓ ପବନକୁ ବିଷାକ୍ତ କରୁଛି। ପାଉଁଶ ପରିଚାଳନା ନେଇ ଯେଉଁ ସବୁ ନିୟମ ରହିଛି, କାରଖାନାଗୁଡ଼ିକ ତାହାର ଅନୁପାଳନ କରୁନାହାନ୍ତି। ଜଳାଶୟ, ଖୋଲାପଡ଼ିଆ ଆଦି କିଛିବି ମାନୁନାହାନ୍ତି । କାରଖାନା ପାଉଁଶ ପରିତ୍ୟକ୍ତ ଅବସ୍ଥାରେ ଥିବା ଖଣିଗୁଡ଼ିକ ପୋତାଯିବା ଉଚିତ ଯେଉଁଠି ଏଭଳି ବିକଳ୍ପ ବ୍ୟବସ୍ଥା ନାହିଁ, ସେଠାରେ ଦୂରଦର୍ଶୀ ବ୍ୟବସ୍ଥା କରାଯିବା ଉଚିତ ବୋଲି ଶ୍ରୀ ମିଶ୍ର କହିଛନ୍ତି। ତେବେ ଜାଗା ଅଭାବରୁ କାରଖାନାଗୁଡ଼ିକ ପ୍ରାୟତଃ ୪୦ ପ୍ରତିଶତ ଏଭଳି ପାଉଁଶ ଖୋଲା ଜାଗାରେ ପକାଉଛନ୍ତି | ନିୟମ ଉଲଂଘନ କରୁଥିବା କାରଖାନାଗୁଡ଼ିକ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା ହେଉନଥିବାରୁ କାରଖାନା ମାଲିକଙ୍କ ବଳ ବଢ଼ାଇ ବିଷ ବଳୟରେ ସମ୍ବଲପୁରକୁ ମାରିବାରେ ଲାଗିଛନ୍ତି। ଦୃଷ୍ଟାନ୍ତ ମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରନ୍ତା ଯେ କେହିବି କହିବେ। କିନ୍ତୁ ଏହା ନହେବାର କାରଣ କ’ଣ ବୋଲି ଏବେ ଓଲଟା ବିଭାଗୀୟ ଅଧିକାରୀ ମାନଙ୍କ ଉପରେ ଅଙ୍ଗୁଳି ଉଠାଇ ପ୍ରଶ୍ନର ମାଡ଼ ହେଉଛି।ଅପରପକ୍ଷରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ଡ. ସତ୍ୟ ନାରାୟଣ ନନ୍ଦଙ୍କୁ ପଚାରିବାରୁ ସେ କହୁଛନ୍ତି, ଯେଉଁଠି ଅଭିଯୋଗ ଆସୁଛି, ତୁରନ୍ତ ନିରୀକ୍ଷଣ କରାଯାଉଛି। ଉପଯୁକ୍ତ ପ୍ରମାଣ ସଂଗ୍ରହ କରି ମୁଖ୍ୟାଳୟକୁ ରିପୋର୍ଟ କରାଯାଉଛି। ମୁଖ୍ୟାଳୟ ମଧ୍ୟ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା କରୁଛି। କିନ୍ତୁ, କଂପାନିଗୁଡ଼ିକ ଏହାର ବିରୋଧରେ ଅଦାଲତର ଦ୍ବାରସ୍ଥ ହେବା ଫଳରେ କାର୍ଯ୍ୟାନୁଷ୍ଠାନ ରେ ବିଳମ୍ଭ ହେଉଛି।ଅର୍ଥାତ ଏହି ବିଳମ୍ଭତା ହିଁ ଜନ ସାଧାରଣଙ୍କ ପାଇଁ କାଳ ସାଜୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ