ରାଜ୍ୟରେ ତିନି ରାଜନୈତିକ ଦଳ ସଙ୍ଗଠନ ଗଠନରେ ବିଫଳ


ଓଡ଼ିଶା ଡଟ୍ ନ୍ୟୁଜ୍: ନିର୍ବାଚନ ସରିଲା । ବିଜେଡି ଶାସନର ଅନ୍ତ ଘଟଣା ବିଜେପି ପ୍ରଥମ ଥର ଓଡ଼ିଶାରେ କ୍ଷମତାକୁ ଆସିଲା । କଂଗ୍ରେସ ବି ପୂର୍ବଠାରୁ ଭଲ ପ୍ରଦର୍ଶନ କଲା । ଏବେ ତିନି ପ୍ରମୁଖ ରାଜନୈତିକ ଦଳ ସଙ୍ଗଠନ ସଜାଡ଼ିବାରେ ଲାଗିଛନ୍ତି । ହେଲେ ପୁଳା ପୁଳା ଆଶାୟୀ, ଗୋଷ୍ଠୀ କନ୍ଦଳ ଯୋଗୁଁ କୌଣସି ବି ଦଳ ଠିକ ଭାବେ ସଙ୍ଗଠନ ସଜାଡ଼ି ପାରୁନାହାନ୍ତି । ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ବିଜେଡିବ । ଏପ୍ରିଲ ୩୦ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ବିଜେଡି, ନିର୍ବାଚନ କମିଶନଙ୍କ ଠାରୁ ସମୟରେ ମାଗିଥିଲା । ଡେଡ୍ ଲାଇନ୍ ସରିଥିଲେ ବି ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା ହୋଇପାରୁନାହିଁ । ଯେଉଥିପାଇଁ ଗୋଷ୍ଠୀ କନ୍ଦଳ ଆହୁରି ତେଜିବାରେ ଲାଗିଛି । ଓଡ଼ିଶା କଂଗ୍ରେସରେ ବି କମିଟି ଅଙ୍କ ଛିଡି ପାରୁ ନଥିବା ବେଳେ ରାଜ୍ୟ ବିଜେପିର ନୂଆ ସଭାପତି ମଧ୍ୟ ଏଯାଏଁ ଚୟନ ହୋଇପାରିନି ।

ଗତ ଏପ୍ରିଲ ୧୯ରେ ବିଜେଡି ସଭାପତି ନିର୍ବାଚନ ହୋଇଥିଲା । ଯେଉଁଥିରେ ନବୀନ ନିର୍ଦ୍ବନ୍ଦ୍ବରେ ନବମ ଥର ପାଇଁ ନିର୍ବାଚିତ ହେଲେ । ଦଳର ନିୟମ କହୁଛି ୩୫୫ ଜଣ ସଦସ୍ୟଙ୍କୁ ନେଇ ରାଜ୍ୟ ପରିଷଦ ଓ ୮୧ ଜଣ ସଦସ୍ୟଙ୍କୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ଗଠନ ହେବ । ରାଜ୍ୟ କାର୍ଯ୍ୟକାରିଣୀରେ ସଭାପତି ନିର୍ବାଚନ ହେବ । କିନ୍ତୁ ସଭାପତି ନିର୍ବାଚନ ସରିଥିଲେ ବି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦରେ କିଏ ଅଛନ୍ତି ତାହା କେହି ଜାଣିନାହାନ୍ତି । ଖୋଦ୍ ଦଳ ଭିତରୁ ଏହାକୁ ନେଇ ଉଠିଲାଣି ଅସନ୍ତୋଷର ସ୍ବର । ଭୁବନେଶ୍ବରର ବିଜେଡି ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, କିଛି ତୋଷାମୋଦିଆଙ୍କ କବଳରେ ଦଳ ଅଛି । ଜାଣିଶୁଣି କାର୍ଯ୍ୟକାରିଣୀ ତାଲିକାକୁ ଲୁଚାଯାଉଛି । ସେପଟେ ଦଳ କହୁଛି, ଦକ୍ଷ ଲୋକଙ୍କୁ ଦାୟିତ୍ବ ଦିଆଯିବ, ଠିକ୍ ସମୟରେ ନବୀନ ବାବୁ ନିଷ୍ପତ୍ତି ନେବେ । 

ଖାଲି ବିଜେଡି ନୁହେଁ । ବିଜେପି ଓ କଂଗ୍ରେସର ବି ରାଜ୍ୟରେ ସମାନ ଅବସ୍ଥା । ଶାସକ ବିଜେପିର ନୂଆ ରାଜ୍ୟ ସଭାପତି ଚୟନ ଏଯାଏଁ ହୋଇନି। ସେହିପରି ପ୍ରଥମ ଥରେ ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିଥିଲେ ବି ବୋର୍ଡ ଓ ନିଗମ ଅଙ୍କ ଏଯାଏଁ ଛିଡିନି । ନୂଆ ସରକାରକୁ ଆସନ୍ତା ଜୁନ ୧୨ରେ ବର୍ଷେ ପୂରିବ ।  ତଥାପି ପଦବୀ ଖାଲି ପଡିଛି । ଅନ୍ୟପଟେ ପ୍ରାୟ ବର୍ଷେ ଖାଲି ପଡିବା ପରେ ପିସିସି ସଭାପତି ଦାୟିତ୍ବ ଭକ୍ତ ଦାସଙ୍କୁ ମିଳିଛି । କିନ୍ତୁ ଏହା ପରେ ବି ଦଳର ରାଜ୍ୟ କମିଟି ଓ ଛାମୁଆ ସଂଗଠନ ଗଠନ ହୋଇପାରିନି । ଦଳ ପାଇଁ ବଡ଼ ସମସ୍ୟା ହେଉଛି ଅସଜଡା ଘର ଓ ଅମାନିଆ ନେତା । ତେବେ ଶୀଘ୍ର ବିବାଦ ଦୂର କରି କମିଟି ଘୋଷଣା ହେବ ବୋଲି କଂଗ୍ରେସ କହିଛି ।