ଆବେଦନ କରି ମିଳୁନି ପ୍ରକଳ୍ପ,ଦିନ ଗଣୁଛନ୍ତି ଚାଷୀ


ଚାଷୀଙ୍କ ପାଖରେ ପହଞ୍ଚି ପାରୁନି ଉଠା ଜଳସେଚନ ପ୍ରକଳ୍ପ
ସମ୍ବଲପୁର:ଅଣ ଜଳସେଚିତ ଅଞ୍ଚଳରେ ଚାଷ ପାଇଁ ଉଠା ଜଳସେଚନ ପ୍ରକଳ୍ପ ସରକାର କରୁଛନ୍ତି। ଏଥିପାଇଁ ସାମୂହିକ ଓ ବ୍ୟକ୍ତିଗତ ଭାବେ ଚାଷୀମାନେ ଆବେଦନ କରି ପାରିବେ। ଆବେଦନ ସମୟରେ ଚାଷ ଜମି ପରିମାଣ ଓ କିଛି ଟଙ୍କା ଜମା କରିବାକୁ ପଡ଼ୋ ପ୍ରକଳ୍ପ କରିବା ପାଇଁ ବ୍ଲକ ସ୍ତରରେ ଅଧୂକାରୀମାନେ ରହିଛନ୍ତି| ଚାଷୀଙ୍କୁ କିଭଳି ସରକାରୀ ଯୋଜନା ମିଳିବ ସେନେଇ କାମ କରିବାକୁ ନିର୍ଦ୍ଦେଶ ରହିଛି ହେଲେ ସରକାରଙ୍କ ଏହି ଯୋଜନା ଚାଷୀଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି। ଜିଲ୍ଲାରେ ହଜାର ହଜାର ଚାଷୀଙ୍କ ଗଭୀର ନଳକୂପ ଓ ସାମୁହିକ ପ୍ରକଳ୍ପ କାମ ହୋଇପାରୁନାହିଁ। ଉଠା ଜଳସେଚନ ପ୍ରକଳ୍ପ ଲାଗି ଆବେଦନ କରି ଚାଷୀମାନେ କେବେ ପାଇବେ ଦିନ ଗଣି ଚାଲିଛନ୍ତି। ଗଭୀର ନଳକୂପ ପାଇଁ ଅଢେଇ ହଜାରରୁ ଉର୍ଦ୍ଧ ଚାଷୀ ଆବେଦନ କରିଛନ୍ତି। ସେହିପରି ସାମୂହିକ ଭାବେ ପାଞ୍ଚ ଶହରୁ ଅଧିକ ଚାଷୀ ଆବେଦନ କରିଛନ୍ତି । କିନ୍ତୁ ଅନୁଦାନ ଆସିଲେ ପର୍ଯ୍ୟାୟକ୍ରମେ ପ୍ରକଳ୍ପ କାମ
ହେବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସେମାନେ କରିଛନ୍ତି ଯେ ଜିଲ୍ଲାର ବିଭିନ୍ନ ବ୍ଲକରେ ଶତାଧିକ ପ୍ରକଳ୍ପ ଅଚଳ ରହିଥ‌ିବାବେଳେ କେତେକ ପ୍ରକଳ୍ପ ପାଣି ଯୋଗାଇ ଦେଇ ପାରୁନାହିଁ। ହେଲେ ବିଭାଗର ସୂଚନା ଅନୁସାରେ ଜିଲ୍ଲାରେ ମୋଟ ୧୦୦୭ ଟି ଉଠା ଜଳସେଚନ ପ୍ରକଳ୍ପ ରହିଛି ଏହି ପ୍ରକଳ୍ପ ମାଧ୍ୟମରେ ମୋଟ ୨୪ ହଜାର
୯୧୫ ହେକ୍ଟର ଜମିକୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ୯୩୮ପ୍ରକଳ୍ପ ମାଧ୍ୟମରେ ୨୪ ହଜାର ୮୪ ହେକ୍ଟର ଜମିକୁ ଜଳ ଯୋଗାଣ ହେଉଛି। ବର୍ତ୍ତମାନ ଜିଲ୍ଲାରେ ୬୯ଟି ପ୍ରକଳ୍ପ ଅଚଳ ରହିଥିବାବେଳେ ସେଥ୍‌ରେ ୧୮୩୧ ହେକ୍ଟର ଜମିକୁ ଜଳ ଯୋଗାଣ ସମ୍ଭବପର ହେଉନି। ୨୦୨୩-୨୪ରେ (ଏଚସିଏଡି) ଯୋଜନାରେ ଆରମ୍ଭ ହୋଇଥିବା ୮ଟି ପ୍ରକଳ୍ପର
କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ୨୦୨୩-୨୪ରେ (ବିକେଭିୱାଇଏ ) ଯୋଜନାରେ ୭୪ଟି ପ୍ରକଳ୍ପ ହାତକୁ ନିଅଯାଇଥିଲା ସେଥିମଧ୍ୟରୁ ୭୩ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ୨୦୨୩-୨୪ ବର୍ଷରେ (ଡିଏଫ) ଯୋଜନାରେ ୩ଟିର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ୨ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ ହୋଇଛି ସେହିପରି ଗଭୀର ନଳକୂପ ଖନନ ପାଇଁ ୨୦୨୩-୨୪ରେ ଅନ୍‌ଲାଇନ୍ ମାଧ୍ୟମରେ ୩୫୦ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୨୭ ଟି ପ୍ରକଳ୍ପର ଖନନ କାର୍ଯ୍ୟ ସମ୍ପୂର୍ଣ ହୋଇଛି। ୨୧୩ଟି ପ୍ରକଳ୍ପରେ ବିଦ୍ୟୁତ ସଂଯୋଗ କରାଯାଇଛି । ସେହିପରି ୨୦୨୪-୨୫ରେ ଅନ୍‌ଲାଇନ୍ ମାଧ୍ୟମରେ ୨୫୦୦ ଗଭୀର ନଳକୂପ ଖନନ ପାଇଁ ଆବେଦନ ହୋଇଛି । କୁଚିଣ୍ଡା ଉପଖଣ୍ଡ ବାମରା, କୁଚିଣ୍ଡା ବ୍ଲକରେ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକ ପାଣି ମିଳିବା ସମ୍ଭବ ହେଉନି। ଏଠାରେ ରବି ଋତୁରେ ଚାଷ କାର୍ଯ୍ୟ ପରିଚାଳନା କରିବା ସ୍ବପ୍ନ ପାଲଟିଛି । ଆବଶ୍ୟକତା ଅନୁଯାୟୀ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉନି। କେତେକ ପ୍ରକଳ୍ପରେ ପମ୍ପ କିମ୍ବା ସୋଲାର୍ ସିଷ୍ଟମ ବସିନି ବୋଲି ଅଭିଯୋଗ କରିଛନ୍ତି।