Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପୁରରୁ ଶୂନ୍ୟ ହୋଇଗଲା ବିଜେଡି, ବିଜେପି ମାରି ନେଇଗଲା ପାୱାର

ସମ୍ବଲପୁର:ଦିନେ ବିଜେପୁର ଓଡିଶା ରାଜନୀତିରେ ହଲଚଲ ହୋଇଥିଲା।ଆଜି ବି ବିଜେପୁର ତାର ରାଜନୈତିକ ଗୋଟିଚାଳନାରେ ସାରା ଓଡିଶାକୁ ହଲଚଲ କରିଦେଇଛି।ବିଜେପୁର ଦାୟିତ୍ୱ ନେଇଥିଲେ ଦିନେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପୁର ର ବିଧାୟକ ବି ହୋଇଥିଲେ ସେ। ବଡ଼ ବଡ଼ିଆ ସବୁ ବିଜେଡି ନେତାଙ୍କ ସତେ ଯେମିତି କିଛି ଦିନ ଘର ହୋଇଯାଇ ଥିଲା ବିଜେପୁର। କିନ୍ତୁ ସେହି ଆଉ ଘର ନାହିଁ କି ବିଜେଡି ଗଡ଼ ନାହିଁ। ସବୁ ହୋଇଯାଇଛି ଧୂଳିସାତ। ନବୀନଙ୍କ ଠାରୁ ଛଡେଇ ନେଇଗଲେ ବିଜେପୁର ବିଧାୟକ ସନତ ଗଡତିଆ।ବିଜେଡିକୁ ତଳେ କଚାଡି ବାଜି ମାରିନେଇଯାଇଛି ବିଜେପି। ଏବେ ବିଜେପୁରେ ବିଜେଡି ଏବେ ଶୁନ। କଥାଟା ଅଡୁଆ ଲାଗୁଥିଲେ ବି ପୁରା ସତ। ବିଜେପୁରୁ ବିଜେଡି ମୂଳରୁ ପୋଛି ହୋଇଯାଇଛି।ହାତରୁ ଖସିଯାଇଛି ପଞ୍ଚାୟତ ଅଧ୍ୟକ୍ଷ ପଦ।
ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁଙ୍କ ମନମୁଖୀ କାର୍ଯ୍ୟକଳାପର ଅସନ୍ତୁଷ୍ଟ ର ବର୍ହ୍ନି ୨୦ ତାରିଖ ମଙ୍ଗଳବାର ଲିଭି ପାଉଁଶ ହୋଇଯାଇଛି। ସମୁଦାୟ ବିଜେପୁର ବ୍ଲକ ୨୩ ଜଣ ସମିତି ସଭ୍ୟ ଏବଂ ୨୩ ଜଣ ନିର୍ବାଚିତ ସରପଞ୍ଚଙ୍କୁ ନେଇ ଅଞ୍ଚଳର ବିକାଶ ହୋଇଥାଏ।ସମୁଦାୟ ୨୩ ଜଣ ସମିତି ସଭ୍ୟଙ୍କୁ ନେଇ ଗଠିତ ବ୍ଲକ ଅଧ୍ୟକ୍ଷ ପଦବୀରେ ଶ୍ରୀ ସାହୁ କାର୍ଯ୍ୟରତ ଥିବା ସମୟରେ ଅନେକ ଅସନ୍ତୋଷ ଦେଖାଦେଇଥିଲା। ମଙ୍ଗଳବାର ଏହାରି ଉପରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହ ଠାରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ରୁଣ୍ଡ ହେବା ଦେଖିବାକୁ ମିଳିଥିଲା।ଏ ପରିପ୍ରେକ୍ଷୀରେ ଅତିରିକ୍ତ ତହସିଲଦାର ବିଜେପୁର ଜ୍ୟୋତି ରଂଜନ ଭୋଇଙ୍କ ତତ୍ତ୍ୱାବଧାନରେ ବ୍ଲକର ସଭାଗୃହ ଠାରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ଅନାସ୍ଥା ପ୍ରସ୍ତାବ ଆଗତ ଦିବସରେ ସମିତି ସଭ୍ୟ ୧୩ ଜଣ, ସରପଞ୍ଚ ୧୭ ଜଣ ସାମିଲ ହୋଇ ତାଙ୍କ ମତ ସାବ୍ୟସ୍ତ କରିଥିଲେ। ଏହି ମତ ସାବ୍ୟସ୍ତ ରେ ସ୍ଥାନୀୟ ମାନ୍ୟବର ବିଧାୟକ ସନତ କୁମାର ଗଡତିଆ, ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ସାମିଲ ହୋଇ ତାଙ୍କ ନିଜସ୍ୱ ମତ ସାବ୍ୟସ୍ତ କରିଥିଲେ।ଅନାସ୍ଥା ପ୍ରସ୍ତାବ ଆଗତ ସମୟରେ ସ୍ଥାନୀୟ ବିଡ଼ିଓ ସରୋଜ କୁମାର ବିଶ୍ବାଳ,ଜିପିଡିଓ ଦିପକ କୁମାର ମାରାଣ୍ଡି ,ଉପଖଣ୍ଡ ପଞ୍ଚାୟତ ଅଫିସର ପଦ୍ମପୁର ସିଦ୍ଧାର୍ଥ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ ସମସ୍ତ ସଭ୍ୟଙ୍କ ମତଦାନ ହୋଇଥିଲା। ଫଳାଫଳ ଅନୁଯାୟୀ ବିଜେପି ସପକ୍ଷରେ ୩୨ ଭୋଟ ପଡ଼ିଥିବା ବେଳେ ବିଜେଡ଼ି ସପକ୍ଷରେ ଗୋଟାଏ ହେଲେ ମତ ଆସିନଥିଲା।ଅର୍ଥାତ ବିଜେଡି ଭାଗରେ ଶୁନ।ବିଜେପୁର ବ୍ଲକ ଅଧ୍ୟକ୍ଷଙ୍କ ଅନାସ୍ଥା ପ୍ରସ୍ତାବ ଆଗତ ରେ ବିଜେପି ୩୨,ବିଜେଡି ଶୂନ।ଏଥିରୁ ବୁଝି ପଡୁଛି ଯେ, ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ସଂଗଠନ ଆଉ ନାହିଁ। ବିଜେଡିର ସବୁ ଫୁଟାଣି ପାଣିର ଗାର ହୋଇଗଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଯେଉଁ ଦିନଠାରୁ ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ନିର୍ବାଚନ ପ୍ରତିନିଧି ମାନ୍ୟବର ବିଧାୟକ ସନତ କୁମାର ଗଡତିଆ ଉଭା ହେଲେ ସେ ଦିନଠୁ ବିଜେପି ବତୀ ଜଳିଲା। ଲୋକଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ ଭାବେ ବିବେଚିତ ହୋଇ ଆଗକୁ ଆଗକୁ ବଢିଲା ବିଜେପି। ସଂଗଠନ ମଧ୍ୟ୍ୟ ମଜଭୁତ ହେବାରେ ଲାଗିଲା।ଯାହାର ପରିଣତି ବିଜେଡିକୁ ଭୋଗିବାକୁ ପଡ଼ିଥିବା ବେଳେ ବିଜେପି ଶକ୍ତିର ଉତ୍ଥାନ ହେବାର ଫଳ ଏହି ଅନାସ୍ଥା ପ୍ରମାଣିତ କରିଦେଲା।କେତେକ ନିର୍ବାଚିତ ପ୍ରତିନିଧିଙ୍କ ମତ ହେଲା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକଳାପ ଏବଂ ତାଙ୍କ ବିକାଶ ଧାରାର ପ୍ଲାଟଫର୍ମ ରେ ସେମାନେ ଅନୁପ୍ରାଣିତ ହେବା ସହ ବିଜେପୁର ନିର୍ବାଚନ ମଣ୍ଡଳୀର ନୁଆଁ ଦିଶା ପାଇଁ ଅଣ୍ଟା ଭିଡ଼ିଛନ୍ତି।ବିଧାୟକ ସନତ କୁମାର ଗଡତିଆଙ୍କ ଦୃଢ଼ ନେତୃତ୍ୱରେ ଅନୁଷ୍ଠିତ ଏହି ଅନାସ୍ଥା ପ୍ରସ୍ତାବ ବିଜେଡି ପାଇଁ ବଡ଼ ଶିକ୍ଷା ହୋଇଥିବା ବେଳେ ବିଜେପି ପାଇଁ ଆଣିଦେଇଛି ନୁଆଁ ବଳ। ଆଜିର ଏହି ଘଟଣା କ୍ରମ ସମଗ୍ର ଓଡିଶା କୁ ଏକ ନୁଆଁ ଦର୍ପଣ କେବଳ ଦେଖାଇନାହିଁ ବରଂ ବିଜେଡିର ଅଣ୍ଟା ଭାଙ୍ଗି ଦେଇଛି। ଏହା ଯଦି ଅନ୍ୟ ମାନଙ୍କ ପାଇଁ ଶିକ୍ଷା ହୁଏ ତେବେ ବିଜେଡିକୁ ପଛକୁ ଠେଲି ବିଜେପି ବିଜେପୁର ପରି ବହୁ ସ୍ଥାନରେ ନିଜର ସ୍ଥିତି ସୁଦୃଢ କରିବାର ସ୍ଥିତି ରହିଛି। ଅନ୍ୟ ପକ୍ଷରେ ଯେଉଁ ମାନଙ୍କୁ ନେଇ ବିଜେଡି ଗଠନ କରିଥିଲା ସମିତି ସେହି ସମିତିର ସଭ୍ୟ/ସଭ୍ୟା ସହ ସମର୍ଥିତ ସରପଞ୍ଚ ମାନେ ଏତେ ଶୀଘ୍ର ବଦଳିଯିବେ କିଏ ଆଶା କରିଥିଲା। କିନ୍ତୁ ବିଜେଡିର ଗର୍ଵ ତାକୁ ଆଜି ଖର୍ବ କରିଛି ବୋଲି ଆଉ କିଛି ଜନ ପ୍ରତିନିଧି ମଧ୍ୟ୍ୟ ନିଜର ମତ ରଖିଛନ୍ତି।
ଆଜି ଦିନରେ ସବୁଠୁ ବଡ଼ ଚର୍ଚ୍ଚା ନବୀନ ଦିନେ ଯେଉଁ ବିଜେପୁର ଦାୟିତ୍ୱ ନେଇଥିଲେ ସେହି ମାଟିରୁ ସେ ଧୂଳିସାତ ହୋଇଯିବା ବିଜେଡି ଇତିହାସରେ ଏକ ନୁଆଁ ଘଟଣା ହୋଇରହିଗଲା। ବିଜେପୁର ଯଦି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହୁଏ ତେବେ ରାଜ୍ୟରୁ ଅନେକ ସମିତି, ଏନଏସି, ପୌର ପରିଷଦ ଏପରିକି ଜିଲ୍ଲା ପରିଷଦ ମଧ୍ୟ୍ୟ ବିଜେଡି ହାତରୁ ଖସି ପଡିବ ଏହା ଆଗକୁ ଜଳ ଜଳ ଦେଖା ଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ