ସମ୍ବଲପୁର: ଭାରତର ଜି-୨୦ ଶେରପା ଏବଂ ନୀତି ଆୟୋଗର ପୂର୍ବତନ ସିଇଓ ଶ୍ରୀ ଅମିତାଭ କାନ୍ତ ଆଇଆଇଏମ୍ ସମ୍ବଲପୁର ପରିଦର୍ଶନ କରିଛନ୍ତି ଯାହା ଏହି ଅନୁଷ୍ଠାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ କରିଛି। ତାଙ୍କ ପରିଦର୍ଶନ ସମୟରେ ଶ୍ରୀ କାନ୍ତ ଆଇଆଇଏମ୍ ସମ୍ବଲପୁରର ଶିକ୍ଷକ, ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସହ ଏକ ଆଲୋଚନାରେ ଯୋଗ ଦେଇଥିଲେ ଏବଂ ବିଶ୍ୱ ପରିବର୍ତନ ଓ ଏଥିରେ ଭାରତର ବୃଦ୍ଧିପାଉଥିବା ଭୂମିକା ବିଷୟରେ ଆଲୋଚନା କରିଥିଲେ। ସେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବା ଏବଂ ଭାରତର ଭବିଷ୍ୟତ ବିକାଶରେ ଅର୍ଥପୂର୍ଣ୍ଣ ଅବଦାନ ଦେବା ପାଇଁ ପ୍ରେରଣା ଦେଇଥିଲେ। ସେ ଏହି ଅଂଚଳର କୌଶଳଗତ ଗୁରୁତ୍ୱକୁ ମଧ୍ୟ ଉଲ୍ଲେଖ କରିଥିଲେ। ତାହା ହେଉଛି ଆଲୁମିନିୟମ୍ ଏବଂ ବିଦ୍ୟୁତ୍ ଉତ୍ପାଦନରେ ଭାରତର ଅର୍ଥନୈତିକ ବୃଦ୍ଧିର ଏକ ପ୍ରମୁଖ ଚାଳକ ଏବଂ ଭାରତର ଅର୍ଥନୈତିକ ବୃଦ୍ଧିରେ ତାହାର ଉଲ୍ଲେଖନୀୟ ପ୍ରଭାବ ରହିଛି।
କ୍ୟାମ୍ପସ୍ ପରିସରକୁ ପ୍ରଶଂସା କରି ଭାରତ ସରକାରଙ୍କ ଜି-୨୦ ଶେରପା ଶ୍ରୀ ଅମିତାଭ କାନ୍ତ କହିଥିଲେ ଯେ, ‘ଦ୍ରୁତ ଅର୍ଥନୈତିକ ବିକାଶର ଏହି ଯୁଗରେ, ସମ୍ବଲପୁରରେ ଆଇଆଇଏମ୍ ଭଳି ଏକ ଉତ୍କୃଷ୍ଟ ଅନୁଷ୍ଠାନ ଥିବା ଅତ୍ୟନ୍ତ ମୂଲ୍ୟବାନ। ଆପଣ ସବୁ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଏହି ଅଦ୍ଭୁତ ଅନୁଷ୍ଠାନର ଏକ ଅଂଶ ହୋଇଥିବା ପାଇଁ ଭାଗ୍ୟବାନ।” ସେ ଆହୁରି କହିଥିଲେ, “ମୁଁ ପ୍ରାୟ ସମସ୍ତ ଆଇଆଇଟି ଏବଂ ଆଇଆଇଏମ୍ ପରିଦର୍ଶନ କରିଛି, କିନ୍ତୁ ମୁଁ କହିବାକୁ ଚାହେଁ, ଆଇଆଇଏମ୍ ସମ୍ବଲପୁରର ଏକ ଆକର୍ଷଣୀୟ କ୍ୟାମ୍ପସ୍। ଏହାର ସ୍ଥାପତ୍ୟ ଅତ୍ୟନ୍ତ ଅନନ୍ୟ ଏବଂ ସ୍ଥାୟୀ ଯାହା କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ଦେଶ ପାଇଁ ଏକ ଆଦର୍ଶ।” ବିଶ୍ୱସ୍ତରୀୟ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ଏବଂ କ୍ୱାଂଟମ୍ କମ୍ପ୍ୟୁଟିଂର ବିକାଶ ବିଷୟରେ ସେ କହିଥିଲେ ଯେ, “ଭାରତକୁ ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ କରିବା ପାଇଁ ୪ ଟ୍ରିଲିୟନ୍ ଡଲାରରୁ ୩୦ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ବୃଦ୍ଧି ହେବାକୁ ପଡିବ। ଯାହାର ଅର୍ଥ ହେଉଛି ଭାରତକୁ ଜିଡିପିରେ ୯%, ମୁଣ୍ଡପିଛା ଆୟରେ ୮% ଏବଂ ଉତ୍ପାଦନରେ ୧୬% ବୃଦ୍ଧି କରିବାକୁ ପଡିବ। ଏଥିରେ ଆଇଆଇଟି ଏବଂ ଆଇଆଇଏମ ଗୁଡିକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ସେହିପରି, ଭାରତର ବୃଦ୍ଧି ଏବଂ ବିକାଶ ପାଇଁ ଆଇଆଇଏମ୍ ସମ୍ବଲପୁରକୁ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡିବ ବୋଲି ସେ ପରାମର୍ଶ ଦେଇଥିଲେ।
ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ୍ ଶ୍ରୀକାନ୍ତଙ୍କୁ ଏହି ପରିଦର୍ଶନ ପାଇଁ କୃତଜ୍ଞତା ଜଣାଇଥିଲେ ଏବଂ କହିଥିଲେ ଯେ ଆମ କ୍ୟାମ୍ପସରେ ଶ୍ରୀ ଅମିତାଭ କାନ୍ତଙ୍କୁ ସ୍ୱାଗତ କରିବା ଏକ ଗୌରବର ବିଷୟ। ଆଇଆଇଏମ୍ ସମ୍ବଲପୁର ପରିସରକୁ ତାଙ୍କର ପ୍ରଶଂସା ଆମକୁ ଅତ୍ୟନ୍ତ ପ୍ରେରଣା ଦେଇଛି ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ତାଙ୍କର ଆଲୋଚନା ସେମାନଙ୍କୁ ପ୍ରେରଣା ଦେଇଛି। ଆଇଆଇଏମ୍ ସମ୍ବଲପୁର ଶିକ୍ଷାଗତ ଉତ୍କର୍ଷ, ନବସୃଜନ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଏକ ଚମତ୍କାର ପରିବେଶ ଗଠନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।
ଭାରତର ଜି-୨୦ ଶେରପା ଶ୍ରୀ ଅମିତାଭ କାନ୍ତଙ୍କ ଆଇଆଇଏମ୍ ସମ୍ବଲପୁର ପରିଦର୍ଶନ
