Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାକଟିଦେଉଳ ପଞ୍ଚାୟତ ସମିତି ବୈଠକ:ପ୍ରକଳ୍ପ ଅନୁମୋଦକୁ ନେଇ ଅସନ୍ତୋଷ ଅଧାରୁ ଉଠି ପଳାଇଲେ ପଞ୍ଚାୟତ ପ୍ରତିନିଧି

ସମ୍ବଲପୁର:ବୁଧବାର ଦିନ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ପଞ୍ଚାୟତ ସମିତି ବୈଠକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି l ବ୍ଲକ ର ସରପଞ୍ଚ ଏବଂ ସମିତି ସଭ୍ୟ /ସଭ୍ୟା ମାନଙ୍କୁ ବ୍ଲକ ପ୍ରଶାସନ ଅଣଦେଖା କରି ସେମାନଙ୍କ ବିନା ଅଜାଣତରେ ପ୍ରକଳ୍ପ ଅନୁମୋଦନ କରିବାକୁ ନେଇ ସମସ୍ତ ପଞ୍ଚାୟତ ପ୍ରତିନିଧି ମାନେ ବୈଠକ ବର୍ଜନ କରିବା ସହ ଅଧାରୁ ଉଠି ଚାଲି ଯାଇଥିବା ଜଣାପଡିଛି l ପଞ୍ଚାୟତ ପକ୍ଷରୁ ପ୍ରଦାନ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ପ୍ରସ୍ତାବ ଗୁଡିକ କିପରି ପରିବର୍ତ୍ତନ ହେଲା ତାହାକୁ ବୈଠକରେ ପଞ୍ଚାୟତ ପ୍ରତିନିଧି ମାନେ ବିରୋଧ କରିଥିଲେ l ବୁଧୁବାର ଦିନ ବ୍ଲକ ସଭା ଗୃହ ଠାରେ ନାକଟିଦେଉଳ ପଞ୍ଚାୟତ ସମିତିର ନବମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ଲକ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁ ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠୀ ଉନ୍ନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ବ୍ଲକ ଉପାଧ୍ୟାକ୍ଷ ଜିତେନ୍ଦ୍ରିୟ ପ୍ରଧାନ, ଅତିରିକ୍ତ ବିଡ଼ିଓ ବିଦ୍ୟାଧର ରାଉତରାୟ, ସମ୍ବଲପୁର ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଗଡ଼ତ୍ୟା, ବିଧାୟକ ପ୍ରତିନିଧି ରାଜକିଶୋର ପ୍ରଧାନ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ l ତେବେ ବିଡ଼ିଓ ଶ୍ରୀ ଭୋଇ ବୈଠକ କାର୍ଯ୍ୟକ୍ରମ କୁ ଆଗେଇ ନେଉଥିବା ବେଳେ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ /ସଭ୍ୟା ମାନେ ସେମାନଙ୍କୁ ଅଣଦେଖା କରାଯାଇ ସେମାନଙ୍କର ଅଜାଣତରେ ପ୍ରକଳ୍ପ ଅନୁମୋଦନ କରାଯାଉଛି ବୋଲି ଅଭିଯୋଗ କରିଥିଲେ l ଏଥି ସହିତ ଗତ ଜାନୁଆରୀ ମାସରେ ହୋଇଥିବା ସମିତି ବୈଠକରେ ବ୍ଲକର ସରପଞ୍ଚ ଏବଂ ସମିତି ସଭ୍ୟ /ସଭ୍ୟା ମାନେ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଅନୁମୋଦନ ପାଇଁ ବ୍ଲକ ପ୍ରଶାସନ କୁ ଦେଇଥିଲେ l ତେବେ ବର୍ତ୍ତମାନ କିପରି ଦିଆଯାଇଥିବା ପ୍ରକଳ୍ପ ଗୁଡିକ ପରିବର୍ତ୍ତନ ହେଲା ତାହାକୁ ଉପସ୍ଥିତ ପଞ୍ଚାୟତ ପ୍ରତିନିଧି ମାନେ ବିରୋଧ କରିଥିଲେ l ପଲ୍ଲିସଭା ଏବଂ ଗ୍ରାମ ସଭା କରାଯାଇ ପ୍ରକଳ୍ପ ଗୁଡିକ ଅନୁମୋଦନ ପାଇଁ ପଠା ଯାଇଥିଲା କିନ୍ତୁ ଯେଉଁ ପ୍ରକଳ୍ପ ଗୁଡିକର ନାମ ଦିଆ ଯାଇଥିଲା ବର୍ତ୍ତମାନ ତାହା କଟି ଯାଇ ବିନା ପଲ୍ଲୀ ସଭା ଓ ଗ୍ରାମ ସଭାରେ ଗୃହୀତ ହୋଇ ନ ଥିବା ପ୍ରକଳ୍ପ ତାଲିକା ଆସିଛି l ଯାହାକୁ ନେଇ ପଞ୍ଚାୟତ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିବା ସହ ନାମ ଦିଆ ଯାଇ ନ ଥିବା ପ୍ରକଳ୍ପ ଗୁଡିକ କିପରି ଅନୁମୋଦନ ହେଲା ତାହା ଉପରେ ପ୍ରଶ୍ନ ଉଠାଇଥିଲେ ପଞ୍ଚାୟତ ପ୍ରତିନିଧି l ସେମାନେ ନିର୍ବାଚିତ ହୋଇ ଆସିଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ କଥାକୁ ଗୁରୁତ୍ୱ ନ ଦେଇ ଆଉ କାହା କଥାରେ ଚାପଗ୍ରସ୍ତ ହୋଇ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ପରିବର୍ତ୍ତନ କରୁଥିବାରୁ ଏହାକୁ ବିରୋଧ କରି ବୈଠକ ଅଧାରୁ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ମାନେ ଉଠି ଚାଲି ଯାଇଥିଲେ l ଏଥି ସହିତ ବ୍ଲକ ପ୍ରଶାସନ ନିଜ ମନୋଭାବରେ ପରିବର୍ତ୍ତନ ଆଣି ପୂର୍ବରୁ ଦିଆ ଯାଇଥିବା ପ୍ରସ୍ତାବ ଗୁଡିକ ଅନୁମୋଦନ ନ କଲେ ଆଗାମୀ ଜୁନ ୪ ତାରିଖରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା ମାନେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାକୁ ଚେତାବନୀ ଦେଇ ବିଡ଼ିଓ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣା ପଡିଛି l ଅପର ପକ୍ଷରେ ସମ୍ବଲପୁର ରୁ ଆସି ଏଠାରେ ବିଜେପିର ନେତା ବୋଲାଉଥିବା ଜଣେ ବ୍ୟକ୍ତି ବିଭିନ୍ନ ସମୟରେ ବ୍ଲକ କାର୍ଯ୍ୟାଳୟ କୁ ଆସି ପ୍ରଶାସନ କୁ ପ୍ରଭାବିତ କରି ଏସବୁ ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି ପଞ୍ଚାୟତ ପ୍ରତିନିଧି ମାନେ ବିଡ଼ିଓ ଙ୍କ ଠାରେ ଆପତ୍ତି ଉଠାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ