Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ, ବୁର୍ଲା ପରିସରରେ ସୁପର ସ୍ପେସାଲିଟି ହସ୍ପିଟାଲ ଉଦଘାଟିତ

ଓଡ଼ିଶାର ଡାକ୍ତର ଓଡ଼ିଶାରେ ଚିକିତ୍ସା ସେବାରେ ରହିଲେ ହିଁ ରାଜ୍ୟ ୧ ନମ୍ବର ହେବ- ଧର୍ମେନ୍ଦ୍ର ପ୍ରଧାନ
• ପ୍ରାୟ ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲରେ ୫୮ ଟି ଆଇସିୟୁ ଶଯ୍ୟା ସହିତ ମୋଟ୍ ୨୭୨ଟି ଶଯ୍ୟା ଅଛି
• ସମ୍ବଲପୁର ସମେତ ୧୩ଟି ଜିଲ୍ଲାର ଜନସାଧାରଣ ଏବଂ ଛତିଶଗଡ଼, ଝାଡ଼ଖଣ୍ଡ ରାଜ୍ୟର ଲୋକମାନେ ହେବେ ଉପକୃତ
• ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଏହି ହସ୍ପିଟାଲ ଅଗ୍ରଣୀ ଭୂମିକା ନିର୍ବାହ କରିବ
• ଭିମସାରର ପୁନଃବିକାଶ ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର
• ସ୍ୱାସ୍ଥ୍ୟ ହେଉଛି ମାନବ ଜୀବନର ସମ୍ପଦ, ଲୋକଙ୍କ ସ୍ୱାସ୍ଥ୍ୟକୁ ଠିକ୍ ରଖିବାର ମୂଳ ପ୍ରୟୋଗଶାଳା ହେଉଛି ଭିମସାର୍
• ଭିସୁଟ୍ ଓ ଭିମସାର ମିଶି ଏକ ମଲ୍ଟି ଡିସିପ୍ଲିନାରୀ କୋର୍ସ କରିବା ପାଇଁ ଦେଲେ ପରାମର୍ଶ
• ଭିମସାରରେ ମେଡିଟେକ୍, ବାୟୋଟେକ୍, ଏଆଇ ଏନେବଲ୍ଡ୍ ଟ୍ରିଟମେଣ୍ଟ ଭଳି ଅତ୍ୟାଧୁନିକ ମେଡିକାଲ ପଦ୍ଧତି ଆରମ୍ଭ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିବଦ୍ଧ
• ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
• ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ, ସ୍ୱାସ୍ୟ୍ଲ ମନ୍ତ୍ରୀ, ସମ୍ବଲପୁର ବିଧାୟକ କାର୍ଯ୍ୟକ୍ରମରେ ପ୍ରମୁଖ ଉପସ୍ଥିତ
ସମ୍ବଲପୁର:ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଚାକିରି ପାଇଁ ବାହାରକୁ ନଯାଇ ଓଡ଼ିଶାରେ ଡାକ୍ତରୀ ସେବା କରିବା ଆବଶ୍ୟକ । ଡାକ୍ତରୀ ପିଲାମାନେ ଏହିଭଳି ମନ ବଳାଇଲେ ହିଁ ଆମ ରାଜ୍ୟ ଏକ ନମ୍ବର ହୋଇପାରିବ ବୋଲି ଗୁରୁବାର ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ(ଭିମସାର୍), ବୁର୍ଲା ପରିସରରେ ସୁପର ସ୍ପେସାଲିଟି ହସ୍ପିଟାଲକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ପ୍ରାୟ ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲରେ ୫୮ ଟି ଆଇସିୟୁ ଶଯ୍ୟା ସହିତ ମୋଟ୍ ୨୭୨ଟି ଶଯ୍ୟା ଅଛି । ଏହି ସୁପର୍ ସ୍ପେସାଲିଟି ହସ୍ପିଟାଲରେ ୟୁରୋଲଜି, ନେଫ୍ରୋଲଜି, ନ୍ୟୁରୋଲଜି, ନ୍ୟୂରୋସର୍ଜରୀ, ପେଡିଆଟ୍ରିକ୍ସ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ଗ୍ୟାଷ୍ଟ୍ରୋଏଣ୍ଡେରୋଲଜି, ଏଣ୍ଡୋକ୍ରାଇନୋଲଜି ଏବଂ କ୍ଲିନିକାଲ୍ ହେମାଟୋଲଜି ସମେତ ନଅଟି ସୁପର୍ ସ୍ପେସାଲିଟି ବିଭାଗ ରହିବ । ଲୋକାର୍ପିତ ସୁପର ସ୍ପେସାଲିଟି ହସ୍ପିଟାଲ ଦ୍ୱାରା ସମ୍ବଲପୁର ସମେତ ୧୩ଟି ଜିଲ୍ଲାର ଜନସାଧାରଣ ଏବଂ ଛତିଶଗଡ଼, ଝାଡ଼ଖଣ୍ଡ ରାଜ୍ୟର ସଂଲଗ୍ନ ଅଞ୍ଚଳ ଗୁଡିକରେ ରହୁଥିବା ଲୋକମାନେ ଏହି ପ୍ରକଳ୍ପ ଦ୍ୱାରା ଅତ୍ୟନ୍ତ ଲାଭବାନ ହେବେ । ସିକିଲ୍ ସେଲର ରୋଗୀମାନଙ୍କ ପାଇଁ ଏହି ହସ୍ପିଟାଲ ନୂତନ ସୁଯୋଗ ସୃଷ୍ଟି କରିବ । ରୋଗୀମାନଙ୍କୁ ଅତ୍ୟାଧୁନିକ ସମସାମୟିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଏହି ସୁପର ସ୍ପେସାଲିଟି ହସ୍ପିଟାଲ ଅଗ୍ରଣୀ ଭୂମିକା ନିର୍ବାହ କରିବ । ସମାଜର ଅନ୍ତିମ ଶ୍ରେଣୀର ଲୋକମାନଙ୍କୁ ସୁପର୍ ସ୍ପେସାଲିଟି ଚିକିତ୍ସା ସୁବିଧା ଯୋଗେଇବା ଦିଗରେ ପଦକ୍ଷେପ ନେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି, ସମ୍ବଲପୁର ଜିଲ୍ଲାରେ ଭିମସାର୍ ସମେତ ଆଇଆଇଏମ, ସମ୍ବଲପୁର, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଓଡ଼ିଶା ଓପନ ୟୁନିଭର୍ସିଟି, ଓୟୁଏଟି ଚିପିଲିମା କୃଷି ମହାବିଦ୍ୟାଳୟ ପରି ଅନୁଷ୍ଠାନ ଅଛି, ଯାହା ସମ୍ବଲପୁରର ବିଶେଷତ୍ୱ । ଭିମସାର ମେଡିକାଲରୁ ପାଠ ପଢି ଅନେକ ଛାତ୍ରଛାତ୍ରୀ ମେଡିକାଲ ବିଜ୍ଞାନ ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଛନ୍ତି । ଭିସୁଟ୍ ଓ ଭିମସାର ମିଶି ଏକ ମଲ୍ଟି ଡିସିପ୍ଲିନାରୀ କୋର୍ସ କରିବା ପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ ।
ସ୍ୱାସ୍ଥ୍ୟ ହେଉଛି ମାନବ ଜୀବନର ସମ୍ପଦ । ଓଡ଼ିଶାର ପଶ୍ଚିମାଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟକୁ ଠିକ୍ ରଖିବାର ମୂଳ ପ୍ରୟୋଗଶାଳା ହେଉଛି ଭିମସାର୍ । ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ହେଲେ ରାଜ୍ୟରେ ଭିମସାର ଭଳି ଅନୁଷ୍ଠାନରୁ ପାଠ ପଢୁଥିବା ଡାକ୍ତର ଛାତ୍ରଛାତ୍ରୀମାନେ ବାହାର ରାଜ୍ୟରେ ଚାକିରି ନକରି ଆମ ରାଜ୍ୟରେ ଚାକିରି କରିବା ଦରକାର । ତେବେ ଯାଇ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ । ଭିମସାର ପରିସରରେ ଏକ ୟୁନିଟାରୀ ଡେଣ୍ଟାଲ୍ କଲେଜ୍ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ବଜେଟରେ ଘୋଷଣା କରିଛନ୍ତି । ଭିମାସରର ପୁନଃବିକାଶ ପାଇଁ ମାଷ୍ଟର ପ୍ଲାନ୍ କରିବା ପାଇଁ ସରକାରଙ୍କ ଯୋଜନାରେ ରହିଛି । ଭିମସାରରେ ମେଡିଟେକ୍, ବାୟୋଟେକ୍, ଏଆଇ ଏନେବଲ୍ଡ୍ ଟ୍ରିଟମେଣ୍ଟ ଭଳି ଅତ୍ୟାଧୁନିକ ମେଡିକାଲ ପଦ୍ଧତି ସହ ଗଣାତ୍ମକ ଶିକ୍ଷା, ସୁଶାସନ ମଡେଲ ଏବଂ ଷ୍ଟାର୍ଟଅପ ଦୁନିଆକୁ ଯୋଡିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିବଦ୍ଧ । ଏହାର ଭିତ୍ତିଭୂମିର ବିକାଶ ପାଇଁ ସମସ୍ତଙ୍କ ପରାମର୍ଶ ନେବା ସହ ଏଠାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କର୍ମଶାଳାର ଆୟୋଜନ କରିବା ଉପରେ ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ, ସ୍ୱାସ୍ୟ୍ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖଙ୍କ ସହିତ ଜିଲ୍ଲା ପ୍ରଶାସନ ଓ ଭୀମସାର ର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories