ମା’ଙ୍କ ନାମରେ ଗୋଟିଏ ଗଛ ; ପ୍ରକୃତିର ସମ୍ମାନ ପ୍ରତି ଏକ ବଡ଼ ପ୍ରତିଜ୍ଞା


ସମ୍ବଲପୁର: “ଏକ୍ ପେଡ୍ ମା’ କେ ନାମ୍” ଅର୍ଥାତ୍ “ମା’ଙ୍କ ନାମରେ ଗୋଟିଏ ଗଛ” ପ୍ରକୃତିର ସମ୍ମାନ ପ୍ରତି ଏକ ବଡ଼ ପ୍ରତିଜ୍ଞା । ଚଳିତବର୍ଷ ଏହି ବୃହତ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ପାଇଁ “ମାଙ୍କ ନାମରେ ଗୋଟିଏ ଗଛ ୨.୦” ର ଶୁଭାରମ୍ଭ ହେଉଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ ଜୁନ ୫ ବିଶ୍ୱ ପରିବେଶ ଦିବସରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧୦ କୋଟି ଗଛ ଲଗାଇବା ପାଇଁ ଦେଶବାସୀ ବିଶେଷ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଭିଡିଓ ମେସେଜ୍ ଜରିଆରେ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ଶ୍ରୀ ପ୍ରଧାନ କହିଛନ୍ତି ଯେ “ଏକ୍ ପେଡ୍ ମା’ କେ ନାମ୍” ଏକ ଭାବନାତ୍ମକ ବିଚାର । ଭାରତ ସରକାର ଏକ ବ୍ୟାପକ ବୃକ୍ଷରୋପଣ ଅଭିଯାନ କରିବା ପାଇଁ ଏହାକୁ ଆରମ୍ଭ କରିଥିଲେ । ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଦେଶବାସୀଙ୍କ ସଫଳ ପ୍ରଚେଷ୍ଟା ଯୋଗୁଁ “ମା’ଙ୍କ ନାମରେ ଗୋଟିଏ ଗଛ” ଏକ ବଡ ଅଭିଯାନରେ ପରିଣତ ହୋଇଛି । ଏହି ଅଭିଯାନ ଅଧୀନରେ ସମଗ୍ର ଭାରତବର୍ଷରେ ସାଢେ ୫ କୋଟିରୁ ଅଧିକ ଗଛ ଲଗାଯାଇଛି । ଏହା କେବଳ ଏକ ଗଛ ନୁହେଁ, ବରଂ ମାଆଙ୍କ ପ୍ରତି ଥିବା ଆମର ସ୍ନେହ, ଶ୍ରଦ୍ଧା ଓ ଭଲପାଇବାର ଏକ ନିଚ୍ଛକ ପ୍ରମାଣ । ଏହା ମାଟି ମାଆ ପ୍ରତି ଆମର ପ୍ରେମ ଏବଂ ନିବିଡ଼ତାର ପ୍ରତୀକ । ଛତିଶଗଡ଼ରେ ଶିଶୁ ଏବଂ ମାଆ ଭଉଣୀଙ୍କ ଦ୍ୱାରା ପ୍ରସ୍ତୁତ ସିଡ୍ ବଲ୍, ତ୍ରିପୁରାରେ ଗଛ ଲଗାଇବା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ରାଜସ୍ଥାନରେ ୧.୫ କୋଟିର ଚାରାରୋପଣ ଏହି ଅଭିଯାନକୁ ନୂଆ ପରିଚୟ ଦେଇଛି । ଓଡ଼ିଶା ପ୍ରଦେଶ ସମେତ ସମଗ୍ର ଦେଶବାସୀଙ୍କ ପ୍ରଚେଷ୍ଟା ଏହି ରାଷ୍ଟ୍ରୀୟ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିଛି ।