Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରଜମୋହନ ପଣ୍ଡା ଜୟନ୍ତୀ ପାଳିତ

ସମ୍ବଲପୁର:ଶିକ୍ଷାର ମହତ୍ତ୍ଵକୁ ହୃଦବୋଧ କରି ବ୍ରଜମୋହନ ପଣ୍ଡା ଏତେ ବର୍ଷ ଆଗରୁ ଯେଉଁ ପଦକ୍ଷେପ ନେଇଥିଲେ ତାକୁ ତ୍ବରାନ୍ବିତ କରି ସମ୍ବଲପୁରକୁ ଗ୍ଲୋବାଲ କ୍ଯାପାସିଟୀ ସେଣ୍ଟର କରିବା ସମୟର ଆବଶ୍ୟକତା ବୋଲି ଆଇ ଆଇ ଏମ୍ ର ନିର୍ଦ୍ଦେଶକ ପ୍ର. ମହାଦେବ ଜୟସଓ୍ବାଲ କହିଛନ୍ତି।
ବ୍ରଜମୋହନ ପଣ୍ଡା ସ୍ମୃତି କମିଟି ପକ୍ଷରୁ ଆଜି ସନ୍ଧ୍ୟାରେ ସ୍ଥାନୀୟ ପବ୍ଲିକ ଲାଇବ୍ରେରୀରେ ବ୍ରଜମୋହନ ପଣ୍ଡା ଜୟନ୍ତୀ ପାଳନ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରଫେସର ଜୟସଓ୍ବାଲ କହିଲେ ଯେ ଆଇଆଇଏମ୍ କୁ କେବଳ ମ୍ୟାନେଜମେଣ୍ଟ ଶିକ୍ଷା ମଧ୍ୟରେ ସୀମିତ ନ ରଖି ସମ୍ବଲପୁର ଆଇଆଇଏମ ଏହାକୁ ହସ୍ତତନ୍ତ ଠାରୁ ଆରମ୍ଭ କରି ଜନଜୀବନର ବିଭିନ୍ନ କ୍ଷେତ୍ର ସହ ଯୋଡିଛି । ଏବେ ସମୟ ଆସିଛି ଗ୍ଲୋବାଲ କ୍ଯାପାସିଟୀ ସେଣ୍ଟର ଖୋଲିବାର । ଏତଦ୍ବାରା ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡିକ ଯୋଡ଼ି ହେବେ । ଭାରତରେ କେବଳ ୪/୫ ଟି ମହାନଗରୀରେ ଏ ବ୍ୟବସ୍ଥା ଥିବା ବେଳେ ସମ୍ବଲପୁର ଏଥିରେ ଯୋଡ଼ି ହେବା ଗୈାରବର ବିଷୟ । ସମ୍ବଲପୁର ବୈଶ୍ବିକ ସ୍ତରରେ ପରିଚିତି ପ୍ରାପ୍ତ କରିବ । ସେ କହିଲେ ଯେ ଉଚ୍ଚ ଶିକ୍ଷା ର ବିକାଶ ପ୍ରତି ସମସ୍ତଙ୍କର ନଜର ରହିଛି ମାତ୍ର ପ୍ରାରମ୍ଭିକ ଶିକ୍ଷା ଅବହେଳିତ ହେଉଛି । ସମ୍ବଲପୁରରେ ଏକ ଉନ୍ନତ ପ୍ରାଥମିକ ଶିକ୍ଷା କେନ୍ଦ୍ର ନାହିଁ। ଏହାକୁ ଅଗ୍ରାଧିକାର ଦେବାକୁ ହେବ ।
ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଅଧ୍ୟାପକ ପ୍ରଦୀପ ପଣ୍ଡା କହିଲେ, ବ୍ରଜମୋହନ ପଣ୍ଡା ଛାତ୍ରାବସ୍ଥାରେ ଯେଉଁ ଉତ୍କୃଷ୍ଟ କବିତା ରଚନା କରିଥିଲେ ସେଥିରୁ ତାଙ୍କର କବି ସାମର୍ଥ୍ୟ ପ୍ରତିପାଦିତ ହେଉଛି । ଅନ୍ୟାନ୍ୟ କର୍ମ ବ୍ୟସ୍ତତା ଯୋଗୁଁ କବିତା ରଚନା ଜାରି ରଖିପାରିଲେ ନାହିଁ ଅନ୍ୟଥା କବି ରୂପେ ପ୍ରସିଦ୍ଧି ପାଇଥାନ୍ତେ। ସମାଜ ପ୍ରତି ତାଙ୍କର ବହୁବିଧ ଅମୂଲ୍ୟ ଦାନ ସତ୍ତ୍ବେ ପ୍ରତିଦାନରେ ତାଙ୍କୁ କିଛି ଦିଆ ହେଇନାହିଁ।
ଏ ଅବସରରେ ଇଂ. ଯଦୁନନ୍ଦନ ପଣ୍ଡାଙ୍କ ରଚିତ କବିତା ପୁସ୍ତକ “କବିତାଞ୍ଜଳି” ର ଉନ୍ମୋଚନ କରାଯାଇଥିଲା । ବ୍ରଜମୋହନ ପଣ୍ଡା ଅନେକ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିବା ବିଷୟ ଇଂ. ପଣ୍ଡା ବର୍ଣ୍ଣନା କରିଥିଲେ । ସୁପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିମଲ ରାୟ ପଣ୍ଡାଙ୍କ ସହପାଠୀ ଥିଲେ । ମୁମ୍ବାଇରେ ସଂଘର୍ଷ କରୁଥିବା ବେଳେ ବିମଲ ରାୟଙ୍କୁ ପ୍ରତିମାସ ଟଙ୍କା ପଠାଉଥିଲେ ।
ଏଥିରେ ଅଧ୍ଯକ୍ଷତା କରି ପ୍ର. ଆଦିତ୍ୟ ପ୍ରସାଦ ପାଢୀ ଶିକ୍ଷାର ବିକାଶରେ ବ୍ରଜମୋହନଙ୍କ ଯୋଗଦାନ ଅତୁଳନୀୟ ବୋଲି କହି ତାଙ୍କ କାର୍ଯ୍ୟାବଳୀର ଦୃଷ୍ଟାନ୍ତ ଓଡ଼ିଶାରେ ଆଉ ନାହିଁ ବୋଲି ଦୃଢ଼ତାର ସହ କହିଥିଲେ ।
ଦୀପକ କୁମାର ପଣ୍ଡା ସ୍ବାଗତ ଭାଷଣ ଓ ରଘୁନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ